‘ଇଣ୍ଡି ମେଣ୍ଟ’ର ପ୍ରତୀକାତ୍ମକ ମହାଭିଯୋଗ କାର୍ଯ୍ୟକ୍ରମରେ ସିଇସିଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାବି କଲେ ଖଡ଼ଗେ

puja26

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚଳାଇବାକୁ ଦାବି କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ଶନିବାର ନୂଆଦିଲ୍ଲୀରେ ବିରୋଧୀ ‘ଇଣ୍ଡି ମେଣ୍ଟ’ ପକ୍ଷରୁ ଆୟୋଜିତ ପ୍ରତୀକାତ୍ମକ ମହାଭିଯୋଗ କାର୍ଯ୍ୟକ୍ରମରେ ସେ ଏହି ଦାବି କରିଛନ୍ତି। ଖଡ଼ଗେ ଜ୍ଞାନେଶ କୁମାରଙ୍କ ବିରୋଧରେ ଛଅଟି ଅଭିଯୋଗ ଆଣିଥିଲେ। ନିର୍ବାଚନରେ ଅନିୟମିତତା, ଭୋଟର ତାଲିକାରୁ ୧୩.୨ କୋଟି ଭୋଟରଙ୍କ ନାମ କାଟିବା, ସଂସଦର ଅନୁମତି ବିନା ନିୟମ ବଦଳାଇବା ଓ ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କୁ ନିଷ୍ପତ୍ତି ପ୍ରକ୍ରିୟାରୁ ଦୂରେଇ ରଖିବା ଭଳି ଅଭିଯୋଗ ସେ ଉଠାଇଥିଲେ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶରେ କମିସନ କାମ କରୁଥିବା ଖଡ଼ଗେ ଅଭିଯୋଗ କରିଥିଲେ। ରାଜାଜୀ ମାର୍ଗ ସ୍ଥିତ ଖଡ଼ଗେଙ୍କ ବାସଭବନରେ ଏହି ମହାଭିଯୋଗ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାର କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ। ସିଇସିଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାବି କରି ଖଡ଼ଗେ କହିଥିଲେ, ଏହା କୌଣସି ବ୍ୟକ୍ତିଗତ ଲଢ଼େଇ ନୁହେଁ। ନିର୍ବାଚନ କମିଶନରଙ୍କ ନିରପେକ୍ଷତା ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଅଭିଯୋଗ କରିଛନ୍ତି କଂଗ୍ରେସ ସଭାପତି
ସମାବେଶକୁ ସମ୍ବୋଧିତ କରି ଖଡ଼ଗେ କହିଛନ୍ତି ଯେ, ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା ପାଇଁ ସାତ ମାସ ପୂର୍ବରୁ ସଂସଦର ଉଭୟ ଗୃହରେ ୧୯୩ ଜଣ ବିରୋଧୀ ସାଂସଦ ନୋଟିସ୍ ଦାଖଲ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ନୋଟିସଗୁଡ଼ିକୁ ବିଚାରକୁ ନ ନେଇ ଖାରଜ କରାଯାଇଛି। କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି ଯେ, ୨୦୧୪ ପରଠାରୁ ବିଜେପି ନେତୃତ୍ୱାଧୀନ ସରକାର ବିଭିନ୍ନ ଉପାୟରେ କ୍ଷମତା ବଜାୟ ରଖିବାକୁ ଚେଷ୍ଟା କରୁଛି। 

ଏସ୍‌ଆଇଆର୍‌ ଘୋଷଣା ନିଷ୍ପତ୍ତିକୁ ସମାଲୋଚନା
ସେ କହିଛନ୍ତି ଯେ ରାଜନୈତିକ ଦଳ ପରିବର୍ତ୍ତନ, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ଓ ନିର୍ବାଚନୀ ବଣ୍ଡ ପରି ଏକ ବୃହତ ଷଡ଼ଯନ୍ତ୍ର ଏହାର ଅଂଶ। ଭୋଟ ଚୋରିର ଶହ ଶହ ଉଦାହରଣ ଥିବା ଦାବି କରି, ଖଡ଼ଗେ ଏହି କଥିତ ହେର୍‌ଫେର୍‌କୁ ୨୦୨୩ ମୁଖ୍ୟ ନିର୍ବାଚନ କମିସନର ଏବଂ ଅନ୍ୟାନ୍ୟ ନିର୍ବାଚନ କମିସନର (ନିଯୁକ୍ତି, ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟକାଳ) ଆଇନ ସହିତ ଯୋଡିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ, ଏହି ଆଇନ ଜ୍ଞାନେଶ କୁମାରଙ୍କୁ ଭୋଟ ଚୋରିକୁ ସହଜ କରିବାରେ ସକ୍ଷମ କରିଥିଲା ​​ଓ ଡିସେମ୍ବର ୨୦୨୩ ରେ ୧୪୫ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରି ସଂସଦରେ ଆଇନ ପାରିତ କରାଯାଇଥିଲା। ନିର୍ବାଚନ କମିସନଙ୍କ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଘୋଷଣା ନିଷ୍ପତ୍ତିକୁ ମଧ୍ୟ ସମାଲୋଚନା କରି ଖଡ଼ଗେ ଅଭିଯୋଗ କରିଥିଲେ ଯେ, ଏହି କାର୍ଯ୍ୟ ବିଜେପି ବିରୋଧୀ ଭୋଟରମାନଙ୍କୁ ହଟାଇବା ପାଇଁ ଉଦ୍ଦିଷ୍ଟ ଥିଲା। ମୋଦୀ ସରକାର ତାଙ୍କ ବିଫଳତାରୁ ଧ୍ୟାନ ହଟାଇବା ପାଇଁ ବାହାର ଲୋକ ଓ ଅନୁପ୍ରବେଶକାରୀଙ୍କ ପ୍ରସଙ୍ଗ ବ୍ୟବହାର କରୁଥିବା ଅଭିଯୋଗ କରି କହିଥିଲେ ଯେ ବିରୋଧୀ ଦଳ ପ୍ରକୃତ ଏବଂ ଯୋଗ୍ୟ ଭୋଟରଙ୍କ ଭୋଟଦାନ ଅଧିକାରକୁ ସୁରକ୍ଷା ଦେବାକୁ ଚାହୁଁଛି।

ad-week
Leave A Reply

Your email address will not be published.