ରେଡକ୍ରସ ପାଣ୍ଠିରୁ ୮.୬୩ ଲକ୍ଷ ଆତ୍ମସାତ୍ ଅଭିଯୋଗ; ବନ୍ଧା ହେଲେ ବରିଷ୍ଠ ରାଜସ୍ୱ ସହାୟକ

puja26

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୂର୍ବରୁ ବରିଷ୍ଠ ରାଜସ୍ୱ ସହାୟକ (SRA) ଭାବେ କାର୍ଯ୍ୟରତ ସଦାଶିବ ପ୍ରଧାନଙ୍କୁ ଓଡ଼ିଶା ଭିଜିଲାନ୍ସ ରବିବାର ଦିନ ଗିରଫ କରିଛି। ତାଙ୍କ ବିରୋଧରେ ୮.୬୩ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ୍ କରିଥିବା ଅଭିଯୋଗ ରହିଛି।

ବର୍ତ୍ତମାନ ସୋରଡ଼ା ତହସିଲ କାର୍ଯ୍ୟାଳୟରେ ନିଯୁକ୍ତ ଥିବା ସଦାଶିବ ପ୍ରଧାନଙ୍କୁ ତଦନ୍ତ ପରେ ଗିରଫ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ଡିସେମ୍ବର ୨୦୨୩ ରୁ ଅଗଷ୍ଟ ୨୦୨୫ ମଧ୍ୟରେ ‘ରେଡ୍ କ୍ରସ୍ ପାଣ୍ଠି’ ପାଇଁ ସଂଗୃହିତ ୮,୬୩,୨୦୦ ଟଙ୍କାକୁ ସେ ଆତ୍ମସାତ୍ କରିଛନ୍ତି।

ଭିଜିଲାନ୍ସ ପକ୍ଷରୁ ଜାରି ଏକ ବିବୃତ୍ତି ଅନୁଯାୟୀ, ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ‘ନିଜାରତ ବିଭାଗ’ (Nizarat Section) ପରିଚାଳନା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା। ସରକାରୀ ପାଣ୍ଠିର ରକ୍ଷଣାବେକ୍ଷଣ ଏବଂ ରେଡ୍ କ୍ରସ୍ ପାଣ୍ଠିର ପରିଚାଳନା ତାଙ୍କ ଦାୟିତ୍ୱ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ, ସେ ସରକାରୀ ରସିଦ ବହି ଜାରି କରି ଉକ୍ତ ସମୟ ମଧ୍ୟରେ ୮,୬୩,୨୦୦ ଟଙ୍କା ସଂଗ୍ରହ କରିଥିଲେ। ତେବେ ଏହି ଅର୍ଥକୁ ଛତ୍ରପୁର ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଶାଖାର ନିର୍ଦ୍ଧାରିତ ଖାତାରେ ଜମା କରିବା ପରିବର୍ତ୍ତେ, ସେ ସମସ୍ତ ଅର୍ଥ ନିଜର ବ୍ୟକ୍ତିଗତ ଲାଭ ପାଇଁ ଆତ୍ମସାତ୍ କରି ନେଇଥିବା ଅଭିଯୋଗ ହୋଇଛି।

ଗିରଫ ହେବା ପରେ ତାଙ୍କୁ ବ୍ରହ୍ମପୁର ସ୍ଥିତ ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ କୋର୍ଟରେ ହାଜର କରାଯାଉଛି। ତେବେ ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏକ ମାମଲା (କେସ୍ ନଂ- ୧୩, ତା ୩୧/୧୦/୨୦୨୬) ରୁଜୁ କରାଯାଇଛି। ତାଙ୍କ ବିରୋଧରେ ‘ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮’ର ଧାରା ୧୩(୨) ସହ ପଠନୀୟ ଧାରା ୧୩(୧)(a) ଏବଂ ‘ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩’ର ଧାରା ୩୧୬(୫) ଅନୁଯାୟୀ ମାମଲା ଦାୟର କରାଯାଇଛି।

ad-week
Leave A Reply

Your email address will not be published.