
କୋରାପୁଟ: ବଜ୍ରାଘାତ ଛଡ଼ାଇ ନେଲା ମାଆ ଓ ୮ ମାସର ଶିଶୁର ଜୀବନ! ଯେଉଁ କୋଳରେ ହସି ଖେଳି ବଡ଼ ହେବାର ସ୍ୱପ୍ନ ଦେଖୁଥିଲା ୮ ମାସର ଶିଶୁ, ସେହି ମାଆ ସହ ସବୁଦିନ ପାଇଁ ଚାଲିଗଲା ଆରପାରିକୁ । ଘରେ ପୁଅ ସହ ଖେଳୁଥିବା ସମୟରେ ହଠାତ୍ ମାଡ଼ି ଆସିଲା ମୃତ୍ୟୁର ବଜ୍ରପାତ । ଗୋଟିଏ ମୁହୂର୍ତ୍ତରେ ଛାରଖାର ହୋଇଗଲା ଏହି ପରିବାରର ଖୁସି ।
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରେଢ଼ାପୁଟ ଗାଁର ତୁଳାବତି ଗୁଞ୍ଜୀଆ ଓ ତାଙ୍କ ୮ ମାସର ଶିଶୁପୁତ୍ର ବଜ୍ରାଘାତର ଶିକାର ହୋଇ ଅଚେତ ହୋଇପଡ଼ିଥିଲେ । ଉଭୟଙ୍କୁ ତୁରନ୍ତ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ହେଲେ ସବୁ ଚେଷ୍ଟା ବିଫଳ ହେଲା । ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କଲେ ।
ମାଆର ମମତା ଓ ଶିଶୁର କଅଁଳ ହସକୁ ଗୋଟିଏ ବଜ୍ରପାତ ସବୁଦିନ ପାଇଁ ଛଡ଼ାଇ ନେଲା । ଯେଉଁ ଘରେ କିଛି ସମୟ ପୂର୍ବରୁ ଶିଶୁର କଅଁଳ ହସରେ ଫାଟିପଡୁଥିଲା, ଆଜି ସେଠାରେ କେବଳ କାନ୍ଦ ବୋବାଳି । ଏହି ଦୁଃଖଦ ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ମହିଳା ଜଣକ ନନ୍ଦପୁର ବ୍ଲକ ମିଶନଶକ୍ତି ବିଭାଗରେ CRP ଭାବେ କାର୍ଯ୍ୟରତ ଥିଲେ । ନନ୍ଦପୁର ବିଡିଓ ଦୁର୍ଗା ପ୍ରସାଦ ଦୋରା ଘଟଣାସ୍ଥଳରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
