
ଆମେରିକା: ପଶ୍ଚିମ ଏସିଆରେ ପୁଣି ବଢ଼ିଲା ଯୁଦ୍ଧ ଆଶଙ୍କା । ଇରାନକୁ ନେଇ ପୁଣିଥରେ କଡ଼ା ଚେତାବନୀ ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନରେ ଆଉ ଗୋଟିଏ କିମ୍ବା ଦୁଇଟି ଟାର୍ଗେଟ୍ ବାକି ରହିଛି ଏବଂ ଆବଶ୍ୟକ ପଡ଼ିଲେ ଆମେରିକା ଅତି କମରେ ୧୦ ମିନିଟ ସମୟ ଲାଗିବ ସେଗୁଡ଼ିକୁ ଧ୍ୱଂସ କରିପାରିବ ବୋଲି ଟ୍ରମ୍ପ କହିଛନ୍ତି । ତାଙ୍କର ଏହି ବୟାନ ପରେ ଆମେରିକା ଓ ଇରାନ ମଧ୍ୟରେ ପୁଣି ସାମରିକ ଉତ୍ତେଜନା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି ।
ଫ୍ଲୋରିଡାରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଇରାନର ସାମରିକ କ୍ଷମତା ଏବଂ ପରମାଣୁ କାର୍ଯ୍ୟକ୍ରମକୁ ଯଥେଷ୍ଟ ଦୁର୍ବଳ କରିସାରିଛି । ତଥାପି କିଛି ସ୍ଥାନ ଏବେ ବି ଆମେରିକାର ନଜରରେ ରହିଛି। ବିଶେଷ କରି ନାତାଞ୍ଜ ପରମାଣୁ କେନ୍ଦ୍ର ନିକଟରେ ଥିବା ସନ୍ଦେହଜନକ ଭୂଗର୍ଭ କମ୍ପ୍ଲେକ୍ସ ‘ପିକ୍ଆକ୍ସ ମାଉଣ୍ଟେନ୍’କୁ ନେଇ ସେ ଉଲ୍ଲେଖ କରିଛନ୍ତି । ଏହି ସ୍ଥାନକୁ ମଧ୍ୟ ଆମେରିକାକୁ ନିୟନ୍ତ୍ରଣକୁ ଆଣିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
ଅନ୍ୟପଟେ ଟ୍ରମ୍ପଙ୍କ ଚେତାବନୀ ପୂର୍ବରୁ ଇରାନର ସୁପ୍ରିମ୍ ଲିଡର୍ ମୋଜତବା ଖାମେନେଇ ମଧ୍ୟ ଆମେରିକା ଓ ଇସ୍ରାଏଲକୁ କଡ଼ା ସନ୍ଦେଶ ଦେଇଛନ୍ତି । ଇରାନ ଉପରେ ପୁଣି କୌଣସି ସାମରିକ ଆକ୍ରମଣ ହେଲେ ତୁରନ୍ତ ଏବଂ ବ୍ୟାପକ ପ୍ରତିଜବାବ ଦେବାକୁ ସେ ଇରାନୀ ସେନାକୁ ନିର୍ଦ୍ଦେଶ ଦେଇଥିବା ଦାବି କରାଯାଇଛି । ଏଥିସହ ଆମେରିକା ଓ ଇସ୍ରାଏଲର ପ୍ରମୁଖ ଟାର୍ଗେଟ୍ଗୁଡ଼ିକୁ ନୂଆ ଟାର୍ଗେଟ୍ ତାଲିକାରେ ସାମିଲ କରିବାକୁ ମଧ୍ୟ କହିଛନ୍ତି । ଇରାନର ସଶସ୍ତ୍ର ବାହିନୀକୁ ଅଧିକ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉତ୍ପାଦନ, ସାମରିକ ଗୁପ୍ତଚର ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ନିଜସ୍ୱ ପ୍ରତିରକ୍ଷା କ୍ଷମତା ବୃଦ୍ଧି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ରହିଛି । ଫଳରେ ଉଭୟ ଦେଶର ବୟାନବାଜି ପଶ୍ଚିମ ଏସିଆରେ ଉତ୍ତେଜନାକୁ ଆହୁରି ବଢ଼ାଇଛି ।
ଏହାରି ମଧ୍ୟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ନଭେମ୍ବର ୩ରେ ଆମେରିକାର ମଧ୍ୟାବଧି ନିର୍ବାଚନ ପରେ ଇରାନ ଉପରେ ପୁଣି ଆକ୍ରମଣ ହୋଇପାରେ । ତେବେ ଆମେରିକାର ବିଦେଶମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ନୂଆ ଆକ୍ରମଣ ନେଇ ଟ୍ରମ୍ପ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି । କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନର ସୁଯୋଗ ଏବେ ବି ରହିଛି । ଟ୍ରମ୍ପ ମଧ୍ୟ ଇରାନ ସହ ଆଲୋଚନା ଚାଲିଥିବା କହିଛନ୍ତି, ଯଦିଓ ତେହରାନର ବିଶ୍ୱସନୀୟତାକୁ ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି । ତେବେ ଟ୍ରମ୍ପଙ୍କ ଏହି ଚେତାବନୀ କେବଳ କୂଟନୈତିକ ଚାପ ସୃଷ୍ଟି ପାଇଁ, ନା ଆଗକୁ ଇରାନ ବିରୋଧରେ ପୁଣି ସାମରିକ କାର୍ଯ୍ୟାନୁଷ୍ଠାନ ହେବ, ତାହା ଏବେ ଦେଖିବାକୁ ବାକି ରହିଛି । ଏହା ଉପରେ ପଶ୍ଚିମ ଏସିଆର ଆଗାମୀ ସୁରକ୍ଷା ପରିସ୍ଥିତି ଅନେକାଂଶରେ ନିର୍ଭର କରିବ ।
