
- ତୁରନ୍ତ କ୍ଷୟକ୍ଷତି ଆକଳନ କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ
- କ୍ଷତିଗ୍ରସ୍ତଙ୍କୁ ଶୀଘ୍ର ସହାୟତା ପ୍ରଦାନ ପାଇଁ ଗ୍ରାମୱାରୀ କ୍ଷୟକ୍ଷତି ଆକଳନ ଓ ଦସ୍ତାବିଜ ପ୍ରସ୍ତୁତି ଉପରେ ଗୁରୁତ୍ୱ
- କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟରେ ଅବହେଳା କିମ୍ବା ଶିଥିଳତା ବରଦାସ୍ତ କରାଯିବ ନାହିଁ: ଜିଲ୍ଲାପାଳ
ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ସମ୍ପ୍ରତି ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ ଯଥାସମ୍ଭବ ଶୀଘ୍ର ଓ ସଠିକ୍ ଭାବେ ସମ୍ପନ୍ନ କରିବାକୁ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ତାଙ୍କ ଅଧ୍ୟକ୍ଷତାରେ ଓସୱାନ୍ ମାଧ୍ୟମରେ ଏକ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତ ତହସିଲଦାରଙ୍କୁ ତୁରନ୍ତ କ୍ଷୟକ୍ଷତି ଆକଳନ କାର୍ଯ୍ୟ ଆରମ୍ଭ କରି ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
କ୍ଷୟକ୍ଷତି ଆକଳନ ସମୟରେ ପ୍ରତ୍ୟେକ କ୍ଷେତ୍ରରେ ଉପଯୁକ୍ତ ଦସ୍ତାବିଜ ଓ ଫଟୋଗ୍ରାଫ୍ ସହିତ ସମସ୍ତ ତଥ୍ୟ ସଂଗ୍ରହ ଓ ସଂରକ୍ଷଣ କରିବା ଉପରେ ଆର୍ଡିସି ଗୁରୁତ୍ୱାରୋପ କରିଥିଲେ। ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କ୍ଷୟକ୍ଷତି ଆକଳନ ସମୟରେ ଅଧିକାରୀମାନେ ଉଦାର ଓ ମାନବିକ ଦୃଷ୍ଟିକୋଣ ଆପଣାଇବା ସହ କୌଣସି ଜଣେ ପ୍ରକୃତ କ୍ଷତିଗ୍ରସ୍ତ ଯେପରି ସରକାରୀ ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ସମ୍ପୂର୍ଣ୍ଣ ସତର୍କ ରହିବାକୁ କହିଥିଲେ। ଗ୍ରାମୱାରୀ କ୍ଷୟକ୍ଷତି ଆକଳନ ଓ ତାଲିକା ପ୍ରସ୍ତୁତି କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ସହ ଆବଶ୍ୟକତା ଅନୁଯାୟୀ ଅଧିକ ରାଜସ୍ୱ ଅମିନ ଓ ସର୍ଭେ କର୍ମଚାରୀଙ୍କୁ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳରେ ନିୟୋଜିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଆକଳନ କାର୍ଯ୍ୟ ଯେତେ ଶୀଘ୍ର ଶେଷ ହେବ, କ୍ଷତିଗ୍ରସ୍ତଙ୍କ ନିକଟରେ ସେତେ ଶୀଘ୍ର କ୍ଷତିପୂରଣ ଓ ସରକାରୀ ସହାୟତା ପହଞ୍ଚିପାରିବ ବୋଲି ସେ କହିଥିଲେ। ଏଥିସହ କ୍ଷତିଗ୍ରସ୍ତ ଜନସାଧାରଣଙ୍କୁ ନିଜର ବ୍ୟାଙ୍କ ଖାତା ବିବରଣୀ ଓ ଆବଶ୍ୟକ ଦସ୍ତାବିଜ ସମ୍ପୃକ୍ତ ତହସିଲ କାର୍ଯ୍ୟାଳୟରେ ଦାଖଲ କରି ଆକଳନ ଓ ସହାୟତା ପ୍ରକ୍ରିୟାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।
ଜିଲ୍ଲାର ସମସ୍ତ ବ୍ଲକ୍ରେ ୧୦ ଜଣିଆ ଦଳ ଗଠନ କରାଯାଇ କୃଷି କ୍ଷୟକ୍ଷତି ଆକଳନ କରାଯିବ। ଏହି କାର୍ଯ୍ୟରେ ଅନ୍ୟ ଜିଲ୍ଲାରୁ ଆସିଥିବା ୧୪୦ ଜଣ କୃଷି ଅଧିକାରୀ ଓ କର୍ମଚାରୀ ସହଯୋଗ କରିବେ। ଆସନ୍ତାକାଲିଠାରୁ କେନ୍ଦ୍ରୀୟ ଦଳ ମଧ୍ୟ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲା ଗସ୍ତ କରିବେ। ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ସେମାନଙ୍କ ସହିତ ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ। ଆସିକା, ହିଞ୍ଜିଳି, ଦିଗପହଣ୍ଡି ଓ ପୁରୁଷୋତ୍ତମପୁର ଅଞ୍ଚଳର ବ୍ୟାପକ କ୍ଷତିଗ୍ରସ୍ତ ସ୍ଥାନଗୁଡ଼ିକୁ ପରିଦର୍ଶନ କରି କ୍ଷୟକ୍ଷତିର ବାସ୍ତବ ସ୍ଥିତି ଅନୁଧ୍ୟାନ କରାଯିବ।
ବୈଠକରେ ବିଦ୍ୟୁତ୍ ଓ ଦୂରସଂଚାର ସେବାର ପୁନଃସ୍ଥାପନ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ଧରାକୋଟ ବ୍ୟତୀତ ଅନ୍ୟ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍ ସେବା ପୁନଃସ୍ଥାପିତ ହୋଇଥିବା ଟାଟା ପାୱାର ପକ୍ଷରୁ ସୂଚନା ଦିଆଯାଇଥିଲା। ସେହିପରି ଜିଲ୍ଲାର ୫ରୁ ୬ଟି ସ୍ଥାନକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଅଞ୍ଚଳରେ ମୋବାଇଲ୍ ନେଟୱର୍କ ସେବା ସ୍ୱାଭାବିକ ହୋଇଥିବା ଟେଲିକମ୍ କମ୍ପାନୀଗୁଡ଼ିକ ପକ୍ଷରୁ ଜଣାଯାଇଥିଲା। ଅବଶିଷ୍ଟ ଅଞ୍ଚଳରେ ମଧ୍ୟ ଯଥାଶୀଘ୍ର ବିଦ୍ୟୁତ୍ ଓ ମୋବାଇଲ୍ ନେଟୱର୍କ ସେବାର ପୂର୍ଣ୍ଣ ପୁନଃସ୍ଥାପନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବନ୍ୟା ଯୋଗୁଁ ଜନସାଧାରଣ ଅତ୍ୟନ୍ତ ଦୁଃଖ ଓ ଦୁର୍ଦ୍ଦଶା ମଧ୍ୟରେ ରହିଥିବାରୁ ରିଲିଫ୍, କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟରେ କୌଣସି ପ୍ରକାର ଅବହେଳା କିମ୍ବା ଶିଥିଳତା ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ସ୍ପଷ୍ଟ କରିଥିଲେ। ଲୋକଙ୍କ ଦୁର୍ଦ୍ଦଶାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ଅଧିକାରୀ ଦାୟିତ୍ୱବାନ ଓ ତତ୍ପରତାର ସହ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା, ବ୍ରହ୍ମପୁର ମହାନଗର ନିଗମ କମିଶନର ଆକବରମ୍ ଶଶ୍ୟା ରେଡ୍ଡୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବିଭିନ୍ନ ଜିଲ୍ଲାରୁ ଆସିଥିବା ବରିଷ୍ଠ ଅଧିକାରୀ, ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।
