ପୁନଃସ୍ଥାପନ କାର୍ଯ୍ୟର ତଦାରଖ ପାଇଁ ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ଟିପିଏସ୍ଓଡିଏଲ୍ ସିଇଓ, ବିଦ୍ୟୁତ୍ ଯୋଗାଣର ଶୀଘ୍ର ପୁନଃସ୍ଥାପନ ଉପରେ ଗୁରୁତ୍ୱ

puja26

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍)ର ସିଇଓ ଶ୍ରୀ ଅମିତ କୁମାର ଗର୍ଗ ବରିଷ୍ଠ ଅଧିକାରୀଙ୍କ ସହ ଗଞ୍ଜାମ ଜିଲ୍ଲାର ବାତ୍ୟା ପ୍ରଭାବିତ ଆସିକା, ଶେରଗଡ଼ ଓ ସାନଖେମୁଣ୍ଡି ଅଞ୍ଚଳ ଗସ୍ତ କରି ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପନ କାର୍ଯ୍ୟର ସମୀକ୍ଷା କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଗସ୍ତ ସମୟରେ ଶ୍ରୀ ଗର୍ଗ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ସେମାନେ ସାମ୍ନା କରିଥିବା ସମସ୍ୟା ଏବଂ ଅନୁଭୂତି ବିଷୟରେ ପଚାରି ବୁଝିଥିଲେ। ଏଥିସହ ସେ ବିଦ୍ୟୁତ୍ ପୁନଃସ୍ଥାପନ କାର୍ଯ୍ୟରେ ନିୟୋଜିତ ଆଗଧାଡ଼ିର କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ପ୍ରଭାବିତ ଅଞ୍ଚଳରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିବା ସହ କାର୍ଯ୍ୟ ସମୟରେ କର୍ମଚାରୀମାନେ ସାମ୍ନା କରୁଥିବା ସମସ୍ୟା ଓ ଆହ୍ୱାନ ସମ୍ପର୍କରେ ଅବଗତ ହୋଇଥିଲେ। ଏହି ଆଲୋଚନା ମାଧ୍ୟମରେ କ୍ଷେତ୍ରସ୍ତରରେ ଆବଶ୍ୟକତାଗୁଡ଼ିକୁ ଆକଳନ କରିବା ସହ ବିଦ୍ୟୁତ୍ ଯୋଗାଣ ଶୀଘ୍ର ସ୍ୱାଭାବିକ କରିବା ପାଇଁ ବିଭିନ୍ନ ଦଳ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଶ୍ରୀ ଗର୍ଗଙ୍କ ନେତୃତ୍ୱରେ ଟିପିଏସ୍ଓଡିଏଲ୍ ନିଜର ଆଠଟି ଜିଲ୍ଲାର କାର୍ଯ୍ୟକ୍ଷେତ୍ରରେ ବ୍ୟାପକ ବିଦ୍ୟୁତ୍ ପୁନଃସ୍ଥାପନ କାର୍ଯ୍ୟକୁ ସମନ୍ୱିତ ଭାବେ ଆଗେଇ ନେଉଛି। ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପିତ ହୋଇଥିବା ବେଳେ ଅନ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଏହି କାର୍ଯ୍ୟ ଜାରି ରହିଛି। ଜଳବନ୍ଦୀ ସ୍ଥିତି, ରାସ୍ତାରେ ପଡ଼ିଥିବା ଗଛ ଓ ଅନ୍ୟାନ୍ୟ ଆବର୍ଜନା ତଥା ଦୁର୍ଗମ ସ୍ଥାନରେ କାର୍ଯ୍ୟ କରିବାର ଆହ୍ୱାନ ସତ୍ତ୍ୱେ କ୍ଷତିଗ୍ରସ୍ତ ବିଦ୍ୟୁତ୍ ବଣ୍ଟନ ଭିତ୍ତିଭୂମିର ମରାମତି ଏବଂ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ପାଇଁ କ୍ଷେତ୍ରୀୟ ଦଳଗୁଡ଼ିକ ନିରନ୍ତର କାର୍ଯ୍ୟ କରୁଛନ୍ତି।

ପୁନଃସ୍ଥାପନ କାର୍ଯ୍ୟରେ ସହଯୋଗ ପାଇଁ ସମଗ୍ର ଦକ୍ଷିଣ ଓଡ଼ିଶାରେ ପ୍ରାୟ ୬,୫୦୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କୁ ପ୍ରାୟ ୪୦୦ଟି ଗାଡ଼ି, ୬ଟି ମୋବାଇଲ୍ ଡିଷ୍ଟ୍ରିବ୍ୟୁସନ୍ ସବ୍‌ଷ୍ଟେସନ୍ ଏବଂ ୧୬ଟି ଟ୍ରାନ୍‌ଜିଟ୍ ଷ୍ଟୋର୍‌ର ସହାୟତା ମିଳୁଛି। ଏହାଦ୍ୱାରା କର୍ମଚାରୀ, ଯନ୍ତ୍ରପାତି ଓ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକୁ ଆବଶ୍ୟକ ସ୍ଥାନରେ ଶୀଘ୍ର ପହଞ୍ଚାଇବା ସମ୍ଭବ ହେଉଛି।

ଗସ୍ତ ସମୟରେ ଶ୍ରୀ ଗର୍ଗ କ୍ଷେତ୍ରସ୍ତରରେ ଉତ୍ତମ ସମନ୍ୱୟ ରକ୍ଷା, ଉପଭୋକ୍ତାଙ୍କ ସମସ୍ୟାର ତୁରନ୍ତ ସମାଧାନ ଏବଂ ସୁରକ୍ଷା ନିୟମାବଳୀର କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ।

ଟିପିଏସ୍ଓଡିଏଲ୍ ପକ୍ଷରୁ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। ବାତ୍ୟା ପ୍ରଭାବିତ ସମସ୍ତ ଉପଭୋକ୍ତାଙ୍କ ନିକଟରେ ଯଥାଶୀଘ୍ର ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପନ କରିବା ଦିଗରେ କମ୍ପାନୀ ପ୍ରତିବଦ୍ଧତାର ସହ କାର୍ଯ୍ୟ ଜାରି ରଖିଛି।

ad-week
Leave A Reply

Your email address will not be published.