
ଭୁବନେଶ୍ୱର: ବାତ୍ୟା ‘ମୁରାସୁ’ ପ୍ରଭାବରେ ବିମାନ ସେବା ବାଧାପ୍ରାପ୍ତ । ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ଭୀଷଣ ବାତ୍ୟା ‘ମୁରାସୁ’ ପାଇଁ ଚେନ୍ନାଇ ଓ ବିଜୟୱାଡ଼ା ବିମାନବନ୍ଦରରେ ମୋଟ ୨୧ଟି ବିମାନ ଉଡ଼ାଣ ବାତିଲ କରାଯାଇଛି । ଆଜି ଚେନ୍ନାଇ ବିମାନବନ୍ଦରରେ ୧୧ଟି ଏବଂ ବିଜୟୱାଡ଼ାର ଗନ୍ନାଭରମ୍ ବିମାନବନ୍ଦରରେ ୧୦ଟି ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ହୋଇଛି ।
ପ୍ରତିକୂଳ ପାଗ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଚେନ୍ନାଇରୁ ବିଜୟୱାଡ଼ା, ରାଜମହେନ୍ଦ୍ରୀ, କଡ଼ପା ଓ ତିରୁଚିରାପଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ବିମାନ ସେବା ପ୍ରଭାବିତ ହୋଇଛି । ବିମାନ ବାତିଲ ଯୋଗୁଁ ଯାତ୍ରୀଙ୍କ ଯାତାୟାତ ଯୋଜନାରେ ପରିବର୍ତ୍ତନ ଆସିଛି । ବିମାନବନ୍ଦରକୁ ବାହାରିବା ପୂର୍ବରୁ ନିଜ ବିମାନର ସ୍ଥିତି ଯାଞ୍ଚ କରିବାକୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ଇଣ୍ଡିଗୋ ପକ୍ଷରୁ ପ୍ରଭାବିତ ଯାତ୍ରୀଙ୍କୁ ସେମାନଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରରେ ସୂଚନା ଦିଆଯାଉଛି । ବାତ୍ୟା ପ୍ରଭାବରେ ତାମିଲନାଡୁର ଚେନ୍ନାଇ, ଚେଙ୍ଗଲପଟ୍ଟୁ ଓ ତିରୁଭାଲ୍ଲୁର ଜିଲ୍ଲାରେ ରବିବାର ରାତିରୁ ପ୍ରବଳ ବର୍ଷା ଲାଗିରହିଛି ।
ଚେନ୍ନାଇର କେତେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ପାଣିପାଗ ବିଭାଗ ଚେନ୍ନାଇ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଥିବାବେଳେ ସୋମବାର ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଭୀଷଣ ବାତ୍ୟା ‘ମୁରାସୁ’ ନଭେମ୍ବର ୨ ମଧ୍ୟରାତ୍ରିରୁ ୩ ତାରିଖ ଭୋର୍ ମଧ୍ୟରେ ଆନ୍ଧ୍ରପ୍ରଦେଶର ନେଲ୍ଲୋର ଓ ନରସାପୁର ମଧ୍ୟରେ, ଓଙ୍ଗୋଲ ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ।
ଏହି ସମୟରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିପାରେ। ଝଟକା ପବନର ବେଗ ୧୨୦ କିଲୋମିଟର ଛୁଇଁପାରେ । ବାତ୍ୟାକୁ ନେଇ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସତର୍କତା ବଢ଼ାଯାଇଛି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଟିମ୍ କୁ ପ୍ରସ୍ତୁତ ରଖାଯାଇଛି। ବାତ୍ୟାର ଗତିବିଧି ଉପରେ ପ୍ରଶାସନ ଓ ପାଣିପାଗ ବିଭାଗ ନଜର ରଖିଛନ୍ତି ।
