ଲାଞ୍ଚ ନେବା ବେଳେ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀଙ୍କୁ ମାଡିବସିଲା ଭିଜିଲାନ୍ସ

puja26

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ଅଧିକାରୀ। ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ଟଙ୍କା ମୁକ୍ତ କରିବା ପାଇଁ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି ସମ୍ବଲପୁର-ତାଳଚେର ଡବଲିଂ ରେଳଲାଇନ୍ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡ଼ନାୟକ। ଜଣେ ଜମି ମାଲିକଙ୍କଠାରୁ ୩ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍।

ସମ୍ବଲପୁର-ତାଳଚେର ଡବଲିଂ ରେଳଲାଇନ୍ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବାବଦରେ ଜଣେ ଜମି ମାଲିକଙ୍କୁ ୮୪ ଲକ୍ଷ ୬୨ ହଜାର ୨୮୮ ଟଙ୍କା କ୍ଷତିପୂରଣ ମିଳିବାର ଥିଲା। ଏହି କ୍ଷତିପୂରଣ ଟଙ୍କା ମୁକ୍ତ କରିବା ସହ ଭବିଷ୍ୟତରେ ତୃତୀୟ ରେଳଲାଇନ୍ ପ୍ରକଳ୍ପରେ ଜମି ଅଧିଗ୍ରହଣ ସମୟରେ ଅନୁକମ୍ପା ଦେଖାଇବା ପାଇଁ ଅଧିକାରୀ ଜଣକ ୫ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା।

ଗତ ୨୭ ତାରିଖରେ ଅଜୟ କୁମାର ଗଡ଼ନାୟକ ଅଭିଯୋଗକାରୀଙ୍କଠାରୁ ୨ ଲକ୍ଷ ଟଙ୍କା ନେଇସାରିଥିବା ଭିଜିଲାନ୍ସ କହିଛି। ଏହାପରେ ବଳକା ୩ ଲକ୍ଷ ୧୦ ହଜାର ଟଙ୍କା ତୁରନ୍ତ ଦେବାକୁ ସେ ଚାପ ପକାଉଥିଲେ। ଏପରିକି ଟଙ୍କା ନଦେଲେ ଭବିଷ୍ୟତରେ ତୃତୀୟ ରେଳଲାଇନ୍ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଓ କ୍ଷତିପୂରଣ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିବେ ବୋଲି ଧମକ ଦେଇଥିବା ଅଭିଯୋଗ ରହିଛି।

ବାରମ୍ବାର ଲାଞ୍ଚ ଦାବି ଓ ଧମକରେ ଅତିଷ୍ଠ ହୋଇ ଜମି ମାଲିକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।  ଏହାପରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଜାଲ ବିଛାଯାଇଥିଲା। ସୋମବାର ଅର୍ଥାତ୍ ନଭେମ୍ବର ୨ ତାରିଖରେ ଅଭିଯୋଗକାରୀଙ୍କଠାରୁ ବଳକା ୩ ଲକ୍ଷ ୧୦ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଅଜୟ କୁମାର ଗଡ଼ନାୟକଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଥିଲା।

ତାଙ୍କ ନିକଟରୁ ଲାଞ୍ଚ ବାବଦ ୩ ଲକ୍ଷ ୧୦ ହଜାର ଟଙ୍କା ଜବତ କରାଯାଇଛି ।  ଏହି ଘଟଣା ପରେ ଅଧିକାରୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ମଧ୍ୟ ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ। ଅଜୟ କୁମାର ଗଡ଼ନାୟକଙ୍କ ସହ ସମ୍ପୃକ୍ତ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଚଢ଼ାଉରେ କେତେ ସମ୍ପତ୍ତି ଠାବ ହୋଇଛି, ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ ।

ad-week
Leave A Reply

Your email address will not be published.