
ନୟାଗଡ଼, ୧୧/୧୧ (ନିସର୍ତ୍ତ): ପବିତ୍ର କାଳୀପୂଜା ଉପଲକ୍ଷେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ତ୍ରିନାଥ ବଜାର ବଣିକ ସଂଘ ପକ୍ଷରୁ ୬୦ତମ ବାର୍ଷିକ ଶ୍ୟାମାକାଳୀ ପୂଜା ଉତ୍ସବ ମହାସମାରୋହରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଉଦ୍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ସଂଘର ଉପଦେଷ୍ଟା ବିଜୟ କୁମାର ସାହୁ ଦାୟିତ୍ୱ ତୁଲାଇଥିବା ବେଳେ ପଣ୍ଡିତ ବିପିନ ବିହାରୀ ଦାସ ପୌରୋହିତ୍ୟ କରି ହୋମଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ। ମା’ଙ୍କ ନୟନାଭିରାମ ମୃଣ୍ମୟୀ ମୂର୍ତ୍ତି ସମ୍ମୁଖରେ ସନ୍ଧ୍ୟା ସମୟରେ ଅନୁଷ୍ଠିତ ମହାଆଳତୀ ବେଳେ ଶଙ୍ଖ, ଘଣ୍ଟ ଓ ଢୋଲର ମଧୁର ନିନାଦରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ଶ୍ରଦ୍ଧାଳୁ ଭକ୍ତମାନେ ମା’ଙ୍କ ନିକଟରେ କରଯୋଡ଼ି ଜୀବନରୁ ସମସ୍ତ ଅଜ୍ଞାନତାର ଅନ୍ଧକାର ଦୂର କରି ଆଲୋକ ଓ ସୁଖଶାନ୍ତି ଭରିଦେବା ପାଇଁ ଭକ୍ତିପୂତ ପ୍ରାର୍ଥନା କରିଥିଲେ।
ମା’ଙ୍କ ଦିବ୍ୟ ଦର୍ଶନ ପାଇଁ ଆଖପାଖ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାରୁ ପୂଜା ପୀଠରେ ଏକ ଅପୂର୍ବ ଆଧ୍ୟାତ୍ମିକ ତଥା ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ରାତ୍ରିରେ ଆୟୋଜିତ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ପ୍ରେରିତ ବିଭିନ୍ନ ସାଂସ୍କୃତିକ ଦଳ ନିଜର ଉଚ୍ଚକୋଟୀର କଳା ନୈପୁଣ୍ୟ ପ୍ରଦର୍ଶନ କରି ଦର୍ଶକମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ। ଏହି ସମଗ୍ର କାର୍ଯ୍ୟକ୍ରମକୁ ତ୍ରିନାଥ ବଜାର ବଣିକ ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଫୁଲ୍ଲ କୁମାର ପ୍ରଧାନ, ସୁକାନ୍ତ କୁମାର ଜେନା, ସନ୍ତୋଷ କୁମାର ସାହୁ, ହେମନ୍ତ କୁମାର ସାହୁ, ଦୟାନିଧି ସେଠୀ, ପୂର୍ଣ୍ଣଚନ୍ଦ୍ର ଜେନା, ଲକ୍ଷ୍ମଣ ରଣା, ମୁଖ୍ୟ ପରିଚାଳକ ଅବନୀ କୁମାର ମହାନ୍ତି, ଜ୍ୟୋତିପ୍ରକାଶ ସାହୁ, ସଭାପତି ସୁନୀଲ ବେହେରା, ଉପସଭାପତି ବିରୂପାକ୍ଷ ମହାପାତ୍ର ଏବଂ ସମ୍ପାଦକ ନିରଞ୍ଜନ ପ୍ରଧାନଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ସକ୍ରିୟ ସହଯୋଗ କରି ସୁଚାରୁ ରୂପେ ପରିଚାଳନା କରିଥିଲେ।
ଏହି ଉତ୍ସବ ଅବସରରେ ତ୍ରିନାଥ ବଜାର ବଣିକ ସଂଘ ତରଫରୁ ସମଗ୍ର ପୂଜା ମଣ୍ଡପ ତଥା ଆଖପାଖ ଅଞ୍ଚଳକୁ ଆକର୍ଷଣୀୟ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା। ପୂଜା କମିଟି ପକ୍ଷରୁ ଦର୍ଶନାର୍ଥୀ ତଥା ଭକ୍ତମାନଙ୍କ ନିମନ୍ତେ ଶୃଙ୍ଖଳିତ ଭାବେ ପ୍ରସାଦ ବଣ୍ଟନର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ତିନି ଦିନ ଧରି ଚାଲିଥିବା ଏହି ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ଏକ ବର୍ଣ୍ଣାଢ଼୍ୟ ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପୂଜା କମିଟି ପକ୍ଷରୁ ତ୍ରିନାଥ ବଜାର ବଣିକ ସଂଘର ସମସ୍ତ ସଦସ୍ୟଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଭସାଣୀ ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ଉତ୍ସବମୁଖର କରିବା ପାଇଁ ବଲାଙ୍ଗୀର ଏବଂ ବରଗଡ଼ରୁ ଆସିଥିବା ପ୍ରସିଦ୍ଧ ‘ମେହେର ମେଲୋଡି’ ଓ ‘ନୟନା ମେଲୋଡି’ର କଳାକାରମାନେ ନିଜର ସଙ୍ଗୀତ ଓ ବାଦ୍ୟର ତାଳେ ତାଳେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ବିମୋହିତ କରି ଝୁମେଇ ରଖିଥିଲେ। ଶାନ୍ତିଶୃଙ୍ଖଳାର ସହ ମା’ଙ୍କ ପ୍ରତିମା ବିସର୍ଜନ ସମ୍ପନ୍ନ ହୋଇଥିଲା।
