
ଛତ୍ରପୁର : ବିଶ୍ୱ ମିତବ୍ୟୟିତା ଦିବସ ଓ ସଞ୍ଚୟ ପକ୍ଷ -୨୦୨୬ ପାଳନ ଅବସରରେ ସ୍ୱତନ୍ତ୍ର ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଆର୍ଥିକ ସାକ୍ଷରତା ଶିବିର ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମିତବ୍ୟୟିତାର ଗୁରୁତ୍ୱ, ଅର୍ଥ ସଞ୍ଚୟ ଏବଂ ଭବିଷ୍ୟତ ପାଇଁ ଆର୍ଥିକ ସୁରକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା। ଦୈନନ୍ଦିନ ଜୀବନରେ ଅଯଥା ଖର୍ଚ୍ଚକୁ ନିୟନ୍ତ୍ରଣ କରି ସଞ୍ଚୟ ଅଭ୍ୟାସ ଗଢ଼ି ତୋଳିବା ସହିତ ଲୋକମାନଙ୍କ ମଧ୍ୟରେ ଆର୍ଥିକ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତପ୍ରକାଶ ପାଇଥିଲା।
ବ୍ରହ୍ମପୁର ଡାକ ବିଭାଗର ନୀଳମଣି ଜାନି ସୁକନ୍ୟା ସମୃଦ୍ଧି ଯୋଜନା, ବରିଷ୍ଠ ନାଗରିକ ଯୋଜନା, ଅଟଳ ପେନସନ ଯୋଜନା, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଉପରେ ବିସ୍ତୃତ ଭାବେ ବୁଝାଇଥିଲେ। ସାଇବର କ୍ରାଇମ ର ଇନିସ୍ପେକ୍ଟର ଜ୍ୟୋତି ରଞ୍ଜନ ବେହେରା ଯୋଗ ଦେଇ କହିଥିଲେ ଯେ ଆମେ ଆଜି ଡିଜିଟାଲ ଯୁଗରେ ପାଦ ଥାପିଛେ। ସାଇବର କ୍ରାଇମ ଠାରୁ ଦୂରରେ ରହି କଷ୍ଟାର୍ଜିତ ଧନର ସଦୁପଯୋଗ କରିପାରିଲେ ଆମର ସଞ୍ଚୟ ସାର୍ଥକ ହୋଇପାରିବ ବୋଲି କହିଥିଲେ। ଶେଷରେ ସ୍ୱଳ୍ପ ସଞ୍ଚୟ ର ଉପକାରିତା ଉପରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ବହୁ ବୁଦ୍ଧିଜୀବୀ, ଅନ୍ୟାନ୍ୟ ଅଧିକାରୀ. କର୍ମଚାରୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ଯୋଗଦେଇଥିଲେ।
