
କଟକ : ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ଅଭାବକୁ ନେଇ କ୍ଷୋଭ ପ୍ରକାଶ କରିଛି ହାଇକୋର୍ଟ ବାର୍ ଆସୋସିଏସନ୍ । ଗତ ୧୧ ତାରିଖରେ ଜଷ୍ଟିସ ଚିତ୍ତରଞ୍ଜନ ଦାଶ ଅଵସର ନେଇଥିବା ବେଳେ ଆସନ୍ତା ୧୫ ତାରିଖରେ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଅଵସର ନେଉଛନ୍ତି । ଏବେ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୩ କୁ ଖସି ଆସିଛି ।
ବିଚାରପତିଙ୍କ ଖାଲି ପଦ ପୂରଣ ଦାବିରେ ଗତ ଅକ୍ଟୋବର ୧ ତାରିଖରେ ହାଇକୋର୍ଟର ଆଇନଜୀବୀମାନେ କୋର୍ଟ କାର୍ଯ୍ୟରୁ ବିରତ ରହିଥିଲେ। କଟକରୁ ଭୁବନେଶ୍ୱର ଅଭିମୁଖେ ବାହାରି ରାଜଭବନ ପର୍ଯ୍ୟନ୍ତ ଯାଇ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ହାଇକୋର୍ଟରେ ମୋଟ ୩୩ଟି ବିଚାରପତି ପଦ ଅନୁମୋଦିତ ଥିବାବେଳେ ବର୍ତ୍ତମାନ ମାତ୍ର ୧୩ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି ।
ଫଳରେ ୨୦ ଟି ପଦ ଖାଲି ପଡ଼ିଛି। ବିଚାରପତିଙ୍କ ଅଭାବ ଯୋଗୁଁ ହାଇକୋର୍ଟରେ ମାମଲାର ଶୁଣାଣି ଓ ଫଇସଲା ପ୍ରଭାବିତ ହେଉଥିବା ନେଇ ବାର୍ ଆସୋସିଏସନ୍ ଉଦ୍ବେଗ ପ୍ରକାଶ କରିଛି । ବାର୍ ଆସୋସିଏସନ୍ ପକ୍ଷରୁ କୁହାଯାଇଛି, ଖାଲି ପଡ଼ିଥିବା ପଦଗୁଡ଼ିକ ଶୀଘ୍ର ପୂରଣ ନହେଲେ ବିଚାରାଧୀନ ମାମଲାର ଚାପ ବଢ଼ିବା ସହ ମାମଲାର ଶୁଣାଣି ଓ ଫଇସଲାରେ ବିଳମ୍ବ ହେବା ନେଇ ବାର୍ ଚିନ୍ତା ପ୍ରକାଶ କରିଛି।
ସେପଟେ ଗତ ସେପ୍ଟେମ୍ବର ୧୮ ତାରିଖରେ ସୁପ୍ରିମକୋର୍ଟଙ୍କ କଲେଜିୟମ୍ ଓଡ଼ିଶା ହାଇକୋର୍ଟ ପାଇଁ ୪ ଜଣ ବିଚାରପତିଙ୍କ ନାମ ସୁପାରିଶ କରିଥିଲେ । ତେବେ ସେମାନଙ୍କ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହେଉଥିବା ନେଇ ବାର୍ ପକ୍ଷରୁ ଉଦ୍ବେଗ ପ୍ରକାଶ କରାଯାଇଛି ।
ଏହାସହ ହାଇକୋର୍ଟ କଲେଜିୟମ୍ ପକ୍ଷରୁ ବିଚାରପତି ପଦ ପାଇଁ ସୁପାରିଶ କରାଯାଇଥିବା ଅନ୍ୟ ନାମଗୁଡ଼ିକ ଉପରେ ମଧ୍ୟ ଶୀଘ୍ର ବିଚାର କରିବାକୁ ଦାବି କରାଯାଇଛି । ବିଚାରପତିଙ୍କ ଅଭାବ ଦୂର କରି ହାଇକୋର୍ଟରେ ନ୍ୟାୟିକ ପ୍ରକ୍ରିୟାକୁ ସୁଗମ କରିବା ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ବାର୍ ପକ୍ଷରୁ ଦାବି ହୋଇଛି ।
