ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ‘ସାମ୍ବାଦିକତା : ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’ ଶୀର୍ଷକରେ ହେବ ଆଲୋଚନାଚକ୍ର, ଯୋଗଦେବେ ଜିଲ୍ଲାପାଳ ଓ ଏସ୍ପି

କନ୍ଧମାଳ , ୧୩/୧୧: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ଗଣମାଧ୍ୟମର ଗୁରୁତ୍ୱ, ସାମ୍ବାଦିକତାର ନୈତିକତା ଏବଂ ସାମ୍ବାଦିକଙ୍କ କର୍ତ୍ତବ୍ୟବୋଧକୁ ନେଇ ଆସନ୍ତା ନଭେମ୍ବର ୧୬ ତାରିଖ ସୋମବାର ଦିନ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳନ କରାଯିବ। ଏହି ଅବସରରେ ସ୍ଥାନୀୟ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୯ଟା ୩୦ ମିନିଟ୍ରେ ଏକ ସ୍ୱତନ୍ତ୍ର ସଭା ଓ ଆଲୋଚନାଚକ୍ର ଆୟୋଜିତ ହେବ। ଚଳିତ ବର୍ଷର ଆଲୋଚନାର ବିଷୟବସ୍ତୁ ରହିଛି ‘ସାମ୍ବାଦିକତା – ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’। ବର୍ତ୍ତମାନର ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ଖବରର ଲୋକପ୍ରିୟତା, ପାଠକ ଓ ଦର୍ଶକଙ୍କ ଆକର୍ଷଣ ସହ ସତ୍ୟନିଷ୍ଠା, ନିରପେକ୍ଷତା, ଦାୟିତ୍ୱବୋଧ ଓ ସାମାଜିକ ପ୍ରତିବଦ୍ଧତା ମଧ୍ୟରେ କିପରି ସମନ୍ୱୟ ରହିବ, ସେନେଇ ଅତିଥି ଓ ସାମ୍ବାଦିକ ମାନେ ମତ ବିନିମୟ କରିବେ l
କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଆରକ୍ଷୀ ଅଧୀକ୍ଷକ ରମେନ୍ଦ୍ର ପ୍ରସାଦଙ୍କ ସମେତ କୁଶଳ ଚନ୍ଦ୍ର ନାୟକ ଓ ଯୁଧିଷ୍ଠିର ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେବେ। ସେହିପରି ଜିଲ୍ଲା ପ୍ରେସ୍ କ୍ଲବ୍, ଫୁଲବାଣୀର ସଭାପତି ସୁନୀଲ କୁମାର ପଟ୍ଟନାୟକ, ମିଡିଆ ଫୋରମ୍ର ସଭାପତି ସୁନୀଲ କୁମାର ବିଶ୍ୱାଳ, ଉତ୍କଳ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ର ସଭାପତି ସନ୍ତୋଷ କୁମାର ଦାସ, ଓଡ଼ିଶା ଜର୍ଣ୍ଣାଲିଷ୍ଟ ୟୁନିୟନ୍ର ସଭାପତି ରାଧାମୋହନ ମହାପାତ୍ର, ଓଡ଼ିଶା ୟୁନିୟନ୍ ଅଫ୍ ଜର୍ଣ୍ଣାଲିଷ୍ଟର ସଭାପତି ସୁଜିତ କୁମାର ବେହେରା ଏବଂ କନ୍ଧମାଳ ସାମ୍ବାଦିକ ସଂଘର ସଭାପତି ଅରୂପ କୁମାର ଜେନା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ। ଏହି ଅବସରରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ବାଣୁଆ ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜର ମତ ରଖିବେ। ସାମ୍ବାଦିକତା କେବଳ ଖବର ପରିବେଷଣରେ ସୀମିତ ନରହି ସମାଜ ପ୍ରତି ନିଜର ଦାୟିତ୍ୱ ଓ ଉତ୍ତରଦାୟିତ୍ୱକୁ କିପରି ବଜାୟ ରଖିବ, ତାହା ଏହି ଆଲୋଚନାଚକ୍ରର ମୁଖ୍ୟ ଆକର୍ଷଣ ରହିବ। ଏଥିସହ ସାମ୍ବାଦିକତାର ମୂଳ ଆଦର୍ଶ, ସତ୍ୟ ଓ ନିର୍ଭୀକ ଖବର ପରିବେଷଣ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମର ଭୂମିକା ଉପରେ ମଧ୍ୟ ଆଲୋକପାତ କରାଯିବ। ଏ ନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନଳିନୀକାନ୍ତ ସାହୁ ଏହି ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସାମ୍ବାଦିକ, ବିଭିନ୍ନ ସାମ୍ବାଦିକ ସଂଘର କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେବାକୁ ଆଶା ପ୍ରକାଶ କରାଯାଇଛି।
