ଜାତିସଂଘରେ ବିଶ୍ୱବ୍ୟାପୀ ମୃତ୍ୟୁଦଣ୍ଡ ସ୍ଥଗିତ ରଖିବା ପ୍ରସ୍ତାବ ସପକ୍ଷରେ ଦେଲାନି ଭୋଟ୍

kalipuja

ନ୍ୟୁୟର୍କ: ମୃତ୍ୟୁଦଣ୍ଡକୁ ବିଶ୍ୱବ୍ୟାପୀ ବନ୍ଦ କରିବା ଦାବିରେ ଜାତିସଂଘରେ ଆଗତ ଏକ ପ୍ରସ୍ତାବକୁ ଭାରତ ବିରୋଧ କରିଛି। ମୃତ୍ୟୁଦଣ୍ଡ ଉପରେ ସାମୟିକ ରୋକ୍ ଲଗାଇବା ସହ ଏହାକୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ କରିବା ଲକ୍ଷ୍ୟରେ ମେକ୍ସିକୋ ଏହି ପ୍ରସ୍ତାବ ଆଣିଥିଲା। ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ମହାସଭାରେ ନଭେମ୍ବର ୧୩ ତାରିଖ (ଶୁକ୍ରବାର) ଏହା ଉପରେ ଭୋଟ୍ ହୋଇଥିଲା। ପ୍ରସ୍ତାବ ସପକ୍ଷରେ ୧୩୩ଟି ଦେଶ ଭୋଟ୍ ଦେଇଥିବା ବେଳେ ୩୩ଟି ଦେଶ ବିପକ୍ଷରେ ମତ ଦେଇଥିଲେ। ଅନ୍ୟ ୧୬ଟି ଦେଶ ଭୋଟ୍‌ଦାନରୁ ବିରତ ରହିଥିଲେ।
ଭାରତ ସହିତ ଆମେରିକା, ଚୀନ୍, ଜାପାନ, ପାକିସ୍ତାନ, ଇରାନ, ଇରାକ, ସାଉଦି ଆରବ, ଇଜିପ୍ଟ, ବାହାରିନ୍ ଓ କୁଏତ୍ ଭଳି ଦେଶ ମଧ୍ୟ ଏହାକୁ ବିରୋଧ କରିଥିଲେ। ପ୍ରସ୍ତାବରେ ବିଶ୍ୱରେ ମୃତ୍ୟୁଦଣ୍ଡ ଜାରି ରହିଥିବା ନେଇ ଗଭୀର ଚିନ୍ତା ପ୍ରକାଶ କରାଯାଇଥିଲା। ସମସ୍ତ ଦେଶ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବା ଉପରେ ସାମୟିକ ରୋକ୍ ଲଗାଇବାକୁ ଏଥିରେ ଆହ୍ୱାନ ଦିଆଯାଇଥିଲା। ଯେଉଁ ଦେଶଗୁଡ଼ିକ ମୃତ୍ୟୁଦଣ୍ଡ ଉଚ୍ଛେଦ କରିସାରିଛନ୍ତି, ସେମାନେ ଏହାକୁ ପୁନର୍ବାର ଲାଗୁ ନକରିବାକୁ ମଧ୍ୟ କୁହାଯାଇଥିଲା।
ପ୍ରସ୍ତାବରେ କେତେକ ବିଶେଷ ବର୍ଗର ଲୋକଙ୍କୁ ମୃତ୍ୟୁଦଣ୍ଡରୁ ସୁରକ୍ଷା ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ୧୮ ବର୍ଷରୁ କମ୍ ବୟସରେ ଅପରାଧ କରିଥିବା ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ନଦେବାକୁ କୁହାଯାଇଥିଲା। ଅପରାଧ ଘଟାଇବା ସମୟରେ ଅଭିଯୁକ୍ତଙ୍କ ବୟସ ୧୮ ବର୍ଷରୁ ଅଧିକ ଥିଲା କି ନାହିଁ, ତାହା ସଠିକ୍ ଭାବେ ଜଣାପଡ଼ୁ ନଥିଲେ ମଧ୍ୟ ମୃତ୍ୟୁଦଣ୍ଡ ନଦେବାକୁ ପ୍ରସ୍ତାବରେ ଉଲ୍ଲେଖ ରହିଥିଲା। ଏହାବ୍ୟତୀତ ଗର୍ଭବତୀ ମହିଳା, ମାନସିକ ଓ ବୌଦ୍ଧିକ ଅକ୍ଷମ ବ୍ୟକ୍ତି ଓ ବୟସ୍କ ଲୋକଙ୍କ କ୍ଷେତ୍ରରେ ମୃତ୍ୟୁଦଣ୍ଡ ଲାଗୁ ଉପରେ କଟକଣା ଲଗାଇବାକୁ କୁହାଯାଇଥିଲା। ୨୦୨୫ ମସିହାରେ ବିଶ୍ୱରେ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ ହେବା ଘଟଣାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ନେଇ ପ୍ରସ୍ତାବରେ ଚିନ୍ତା ପ୍ରକାଶ କରାଯାଇଥିଲା।

ad-week
Leave A Reply

Your email address will not be published.