ଟ୍ରମ୍ପଙ୍କ ଶାସନରେ କ୍ୱାଡ୍‌ ଦୁର୍ବଳ ହୋଇନାହିଁ: ଆମେରିକା

kalipuja

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ୱାଡ୍‌ (ଚତୁର୍ଦ୍ଦେଶୀୟ ସୁରକ୍ଷା ସଂଗଠନ) ଦୁର୍ବଳ ହୋଇପଡ଼ିଥିବା ରିପୋର୍ଟକୁ ଖଣ୍ଡନ କରିଛି ଆମେରିକା। ଏହି ଗୋଷ୍ଠୀ ଏବେ ‘ଜୀବନରକ୍ଷକ ବ୍ୟବସ୍ଥା’ (ଲାଇଫ୍‌ ସପର୍ଟ)ରେ ରହିଛି ବୋଲି ଶନିବାର ଆମେରିକୀୟ ଗଣମାଧ୍ୟମ ‘ପଲିଟିକୋ’ରେ ପ୍ରକାଶିତ ରିପୋର୍ଟକୁ ୱାସିଂଟନ ଅଗ୍ରାହ୍ୟ କରିଛି। ଏହାର ପ୍ରମାଣ ସ୍ୱରୂପ ଆସନ୍ତା ସପ୍ତାହରେ ଫିଲିପାଇନ୍ସର ରାଜଧାନୀ ମାନିଲାରେ କ୍ୱାଡ୍‌ ନେତାଙ୍କ ଶିଖର ବୈଠକ ଆୟୋଜନ ପାଇଁ ଆମେରିକା ପ୍ରସ୍ତୁତି ଚଳାଇଥିବା କହିଛି।
ଆମେରିକାର ବୈଦେଶିକ ବିଭାଗର ଗ୍ଲୋବାଲ୍‌ ପବ୍ଲିକ୍‌ ଆଫେୟାର୍ସ ସହକାରୀ ସଚିବ ଡିଲାନ୍‌ ଜନସନ୍‌ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପଲିଟିକୋର ରିପୋର୍ଟକୁ ସମାଲୋଚନା କରି ଏହାକୁ ‘ସମ୍ପୂର୍ଣ୍ଣ ହାସ୍ୟାସ୍ପଦ’ ବୋଲି କହିଛନ୍ତି। ତାଙ୍କ ଅନୁଯାୟୀ, ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଗତ ଦୁଇ ବର୍ଷ ମଧ୍ୟରେ କ୍ୱାଡ୍‌ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କ ସହ ପାଞ୍ଚ ଥର ଔପଚାରିକ ବୈଠକ କରିଛନ୍ତି। ସେଥିମଧ୍ୟରୁ ଗତ ଛଅ ମାସରେ ତିନିଟି ବୈଠକ ହୋଇଛି। ଏହାବ୍ୟତୀତ ଚାରି ଦେଶର ଅଧିକାରୀମାନେ ପ୍ରତି ମାସରେ ଆଲୋଚନା କରୁଛନ୍ତି।
ଆମେରିକାର ଯୋଜନା ଅନୁଯାୟୀ, ଆସନ୍ତା ସପ୍ତାହରେ ମାନିଲାରେ ହେବାକୁ ଥିବା ଆସିଆନ୍‌ ବୈଠକ ଅବସରରେ କ୍ୱାଡ୍‌ ନେତାମାନଙ୍କ ଶିଖର ବୈଠକକୁ ଔପଚାରିକ ରୂପ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସ ଗସ୍ତ କରିବେ। ଏହି ସମୟରେ ନଭେମ୍ବର ୧୭ରେ ମୋଦୀ, ଟ୍ରମ୍ପ ଏବଂ ଜାପାନ ଓ ଅଷ୍ଟ୍ରେଲିଆର ନେତାଙ୍କ ମଧ୍ୟରେ ବୈଠକ ହେବାର ସମ୍ଭାବନା ରହିଛି। ତେବେ ଏହାର ଔପଚାରିକ ଘୋଷଣା ହୋଇନାହିଁ। ଭାରତର ବୈଦେଶିକ ମନ୍ତ୍ରଣାଳୟର ସଚିବ (ପୂର୍ବ) ରୁଦ୍ରେନ୍ଦ୍ର ଟଣ୍ଡନ୍‌ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେଉଛି।
ପ୍ରସ୍ତାବିତ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଯୋଗାଣ, ସାମୁଦ୍ରିକ ବାଣିଜ୍ୟପଥର ସୁରକ୍ଷା ଓ ଶକ୍ତି ଯୋଗାଣ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ। ବାଣିଜ୍ୟିକ ଜାହାଜ ଚଳାଚଳରେ ବାଧା ଓ ଆକ୍ରମଣକୁ ରୋକିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି। ବୈଦେଶିକ ସଚିବ ମାର୍କୋ ରୁବିଓ ପୂର୍ବରୁ କହିଛନ୍ତି ଯେ କ୍ୱାଡ୍‌ ବୈଠକ କେବଳ ଔପଚାରିକ ମିଳନରେ ସୀମିତ ନ ରହି ଠୋସ୍‌ ନିଷ୍ପତ୍ତି ଓ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେବ। ଉଲ୍ଲେଖଯୋଗ୍ୟ, କ୍ୱାଡ୍‌ର ଶେଷ ନେତୃସ୍ତରୀୟ ବୈଠକ ୨୦୨୪ ସେପ୍ଟେମ୍ବରରେ ଆମେରିକାର ଡେଲାୱେର୍‌ଠାରେ ହୋଇଥିଲା। ଟ୍ରମ୍ପ ପୁଣି ରାଷ୍ଟ୍ରପତି ହେବା ପରେ ଏହା ହେବ ଚାରି ଦେଶର ନେତାଙ୍କ ପ୍ରଥମ ଶିଖର ବୈଠକ।

ad-week
Leave A Reply

Your email address will not be published.