
ଭୁବନେଶ୍ୱର : ରାଜ୍ୟରେ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୧୧ଟା ୨୦ ସୁଦ୍ଧା ଶେଷ ହୋଇଥିବା ବେଳେ ଏହା ବର୍ତ୍ତମାନ ଦୁର୍ବଳ ହୋଇ ଏକ ଗଭୀର ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ବାତ୍ୟାର ପ୍ରଭାବ ସମ୍ପୂର୍ଣ୍ଣ ଶେଷ ହୋଇନଥିଲେ ମଧ୍ୟ ରାଜ୍ୟରେ ବର୍ଷାର ପରିମାଣ ବହୁ ମାତ୍ରାରେ କମିଯାଇଛି ।
ତେବେ ଆଜି ରାତି ପର୍ଯ୍ୟନ୍ତ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା ଏବଂ କଟକ ଆଦି ଉପକୂଳବର୍ତ୍ତୀ ଓ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତାକାଲି ଅର୍ଥାତ୍ ୨୧ ତାରିଖ ସକାଳ ପରଠାରୁ ରାଜ୍ୟରେ ବର୍ଷାର ପରିମାଣ ବହୁ ପରିମାଣରେ କମିଯିବ। କାଲି ପାଇଁ କୌଣସି ଜିଲ୍ଲାକୁ ସ୍ୱତନ୍ତ୍ର ବର୍ଷା ୱାର୍ଣ୍ଣିଂ ଜାରି କରାଯାଇ ନଥିବା ବେଳେ କେବଳ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ଗଭୀର ଅବପାତ ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ଏବଂ ଝଟକା ପବନ ୭୫ କିଲୋମିଟର ପର୍ଯ୍ୟନ୍ତ ରହିଥିଲା, ଯାହା ଏବେ ଧୀରେ ଧୀରେ କମୁଛି । ମତ୍ସ୍ୟଜୀବୀମାନଙ୍କ ପାଇଁ ଜାରି ହୋଇଥିବା ସତର୍କ ସୂଚନା ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ତାପରେ ଏହା ଆଉ ରହିବ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ମନୋରମା ମହାନ୍ତି ।
ଅନ୍ୟପକ୍ଷରେ, ଆକାଶ ସମ୍ପୂର୍ଣ୍ଣ ମେଘମୁକ୍ତ ହୋଇ ଖରା ଆସିବା ପରେ ରାଜ୍ୟରେ ଶୀତ ଅନୁଭୂତ ହେବ । ବିଶେଷକରି ଆସନ୍ତା ୨୨ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ଥିବାରୁ ଲୋକେ ଶୀତ ଅନୁଭବ କରିବେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
