
କୋରାପୁଟ: କୋଟିଆ ସୀମାନ୍ତ ଅଞ୍ଚଳରେ ପୁଲିସ କାର୍ଯ୍ୟରେ ବାଧା ସୃଷ୍ଟି, ରାସ୍ତା ଅବରୋଧ ଏବଂ ପୁଲିସ କ୍ୟାମ୍ପ ଭଙ୍ଗା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି କୋଟିଆ ପୁଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ଫଗୁଣସିନେରୀ ଗ୍ରାମର ବିସୁ ପାଙ୍ଗୀ ଓ ଲିବ୍ରି ହରେକା। ଶୁକ୍ରବାର ସକାଳ ସାଢ଼େ ୫ଟାରେ ଉଭୟଙ୍କୁ ଗିରଫ କରାଯାଇଥିବା କୋରାପୁଟ ଅତିରିକ୍ତ ଏସ୍ପି ମନୋଜ ପୂଜାରୀ ସୂଚନା ଦେଇଛନ୍ତି।
ଏନେଇ ସୁନାବେଡ଼ା ଏସ୍ଡିପିଓ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ଶ୍ରୀ ପୂଜାରୀ କହିଛନ୍ତି ଯେ, ଗତ ନଭେମ୍ବର ୪ ତାରିଖରେ ନିର୍ବାଚନ ପୂର୍ବ ପ୍ରସ୍ତୁତିକୁ ନେଇ ଫାଟୁସେନେରୀ ଅଞ୍ଚଳରେ ପୁଲିସ ପକ୍ଷରୁ ପାଟ୍ରୋଲିଂ ଓ ନାକା ଯାଞ୍ଚ ଚାଲିଥିଲା। ଏହି ସମୟରେ କିଛି ସ୍ଥାନୀୟ ଲୋକ ମାଡ଼କର ଓ ଡୋଲିଆମ୍ବା ଗ୍ରାମ ନିକଟରେ ରାସ୍ତା ଉପରେ ଗଛ ଗଣ୍ଡି ପକାଇ ଯାତାୟାତରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ କ୍ୟାମ୍ପ ଭାଙ୍ଗିବା, ଟେଣ୍ଟ ଉପାଡ଼ିବା ଏବଂ ଓଡ଼ିଶା ସରକାରଙ୍କ ସାଇନ୍ବୋର୍ଡ ନଷ୍ଟ କରିବା ଭଳି ଘଟଣା ଘଟିଥିବା ପୁଲିସ ଅଭିଯୋଗ କରିଛି। ଏହି ଘଟଣାର ତଦନ୍ତ କରିବା ସହ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ବିସୁ ପାଙ୍ଗୀ ଓ ଲିବ୍ରି ହରେକାଙ୍କୁ ଗିରଫ କରାଯାଇଛି।ପୁଲିସର ସୂଚନା ଅନୁଯାୟୀ, କୋଟିଆ ଥାନାରେ ପୂର୍ବରୁ ରୁଜୁ ହୋଇଥିବା କେସ୍ ନମ୍ବର ୧୦ ଓ ୧୧ରେ ମଧ୍ୟ ଉଭୟଙ୍କ ସମ୍ପୃକ୍ତି ରହିଛି। ଡାକ୍ତରୀ ପରୀକ୍ଷା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।
