
ଭୁବନେଶ୍ଵର: ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି ସାଇବର ଅପରାଧ। ସେ ଆର୍ଥିକ ଅପରାଧ ହେଉ କି ଠକେଇ ଏବଂ ଏହା ସହିତ ମହିଳା ଓ ଶିଶୁମାନଙ୍କ ସଂପର୍କିତ ଅପରାଧ ହେଉ। ଏହା ଉପରେ ଲଗାମ ଲଗାଇବ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନେଇଛନ୍ତି ବଡ଼ ପଦକ୍ଷେପ। ‘ଓଡିଶା ସାଇବର କମାଣ୍ଡ ସେଣ୍ଟର’ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ୨୪୯.୩୯ କୋଟି ଟଙ୍କା ମଞ୍ଜୁର ମଧ୍ୟ କରିଛନ୍ତି।
ସାଇବର ଅପରାଧକୁ ଚିହ୍ନଟ କରିବା, ରୋକିବା ଏବଂ ବିଭିନ୍ନ ପ୍ରକାର ସାଇବର ଠକେଇ ଓ ସାଇବର ବିପଦର ନିୟନ୍ତ୍ରଣ ପାଇଁ ତଦନ୍ତ କରିବା କ୍ଷେତ୍ରରେ ଏହି କମାଣ୍ଡ ସେଣ୍ଟର ଏକ ବିଶେଷଜ୍ଞ ସଂସ୍ଥା ଭାବେ କାର୍ଯ୍ୟକରିବ। ଏହା ପରେ ଆଶା କରାଯାଉଛି ଯେ, ସାଇବର ଅପରାଧ ଉପରେ ଲଗାମ ଲାଗି ପାରିବ।
ଏହାର ମୁଖ୍ୟତଃ ୪ଟି ମୁଖ୍ୟ ଶାଖା ରହିବ। ଏହି ଶାଖା ଗୁଡିକ ହେଉଛି- ସାଇବର କ୍ରାଇମ ହେଡକ୍ୱାର୍ଟର୍ସ, ଷ୍ଟେଟ ସାଇବର କ୍ରାଇମ ପୋଲିସ ଷ୍ଟେସନ, ସାଇବର ରିସୋର୍ସ ସେଣ୍ଟର ଏବଂ AI ପ୍ରେଡିକ୍ଟିଭ୍ ପୋଲିସିଙ୍ଗ୍ ଆଣ୍ଡ ଡାଟା ଆନାଲିଟିକ୍ସ ସେଣ୍ଟର (AI Predictive Policing & Data Analytics Centre) ।
