
ମେକ୍ସିକୋ: ମେକ୍ସିକୋରେ ସୁରକ୍ଷା ବାହିନୀର ବଡ଼ ସଫଳତା । ଗିରଫ ହେଲା କୁଖ୍ୟାତ ଡ୍ରଗ୍ କାର୍ଟେଲ୍ ମୁଖିଆ ‘ଏଲ୍ ଚାପୋ ଇସିଡ୍ରୋ’ । ମେକ୍ସିକୋର ସିନାଲୋଆ ରାଜ୍ୟରେ ଏକ ବଡ଼ ଧରଣର ଅପରେସନ୍ କରି ଫାଉଷ୍ଟୋ ଇସିଡ୍ରୋ ମେଜା-ଫ୍ଲୋରେସକୁ ଗିରଫ କରିଛି ସୁରକ୍ଷା ବାହିନୀ । ଶୁକ୍ରବାର ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ଚାଲିଥିଲା ଭୟଙ୍କର ଗୁଳିବିନିମୟ । ଏଥିରେ ୭ ଜଣ ସନ୍ଦିଗ୍ଧ କାର୍ଟେଲ୍ ସଦସ୍ୟ ଏବଂ ମେକ୍ସିକୋର ୪ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି ।
ଅପରେସନ୍ ପରେ ସମଗ୍ର ଗୁଆସାଭେ ସହରରେ ଖେଳିଯାଇଥିଲା ଆତଙ୍କ । ରାସ୍ତାରେ ଜଳୁଥିଲା ଟ୍ରକ୍ ଓ କାର୍ । ଚାରିଆଡ଼େ ଶୁଭୁଥିଲା ଗୁଳିମାଡ଼ର ଶବ୍ଦ । ଆକାଶରେ ଉଡ଼ୁଥିଲା ସାମରିକ ହେଲିକପ୍ଟର । ଭୟରେ ଘର ଓ ଦୋକାନ ଭିତରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ ହଜାର ହଜାର ଲୋକ ।
ମେକ୍ସିକୋର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଶନିବାର ଗିରଫ ପରେ ଏଲ୍ ଚାପୋ ଇସିଡ୍ରୋକୁ ସାମରିକ ବିମାନ ଯୋଗେ ରାଜଧାନୀ ମେକ୍ସିକୋ ସିଟିକୁ ନିଆଯାଇଛି । ସେ FBIର ୧୦ ଜଣ ସର୍ବାଧିକ ଚର୍ଚ୍ଚିତ ଫେରାର ଅପରାଧୀଙ୍କ ତାଲିକାରେ ରହିଥିଲା । ତା’ର ଗିରଫଦାରୀ ସମ୍ପର୍କରେ ସୂଚନା ପାଇଁ ଆମେରିକା ପକ୍ଷରୁ ୫୦ ଲକ୍ଷ ଡଲାର, ଅର୍ଥାତ୍ ପ୍ରାୟ ୪୨ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ।
ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରୁ ଗୁଆସାଭେ ସହରରେ ଆରମ୍ଭ ହୋଇଥିଲା ଗୁଳିବିନିମୟ । ସହରର ବିଭିନ୍ନ ସ୍ଥାନରେ ଗୁଳିମାଡ଼ ସହ ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ ସନ୍ଦିଗ୍ଧ କାର୍ଟେଲ୍ ସଦସ୍ୟ । ଏପରିକି ଏକ ବେସବଲ୍ ମ୍ୟାଚ୍ ଚାଲିଥିବା ସମୟରେ ଗୁଳି ଶବ୍ଦ ଶୁଣି ଜୀବନ ବଞ୍ଚାଇବାକୁ ଦୌଡ଼ିଥିଲେ ଲୋକେ ।
ଗୁପ୍ତ ସୂଚନା ଆଧାରରେ ସୁରକ୍ଷା ବାହିନୀ ଏକ ଘରକୁ ଘେରାଉ କରିଥିଲା । ସେହି ଘରେ ରହିଥିଲା ଏଲ୍ ଚାପୋ ଇସିଡ୍ରୋ । ଏହି ସମୟରେ କାର୍ଟେଲ୍ ସଦସ୍ୟମାନେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାହାଯ୍ୟରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ । ପାଲଟା କାର୍ଯ୍ୟାନୁଷ୍ଠାନ ପରେ ଘର ଭିତରେ ପଶି ତାକୁ କାବୁ କରିଥିଲେ ସୈନିକ । ଏହି ଅପରେସନ୍ରେ ମୋଟ ୮ ଜଣଙ୍କୁ ଅଟକ ରଖାଯାଇଛି ।
ସେପଟେ କାର୍ଟେଲ୍ ସଦସ୍ୟମାନେ ଜଳନ୍ତା ଗାଡ଼ି ରଖି ସହରର ଅତି କମ୍ରେ ୧୦ଟି ସ୍ଥାନରେ ରାସ୍ତା ଅବରୋଧ କରିଥିଲେ । ଫଳରେ ଅଭିଯୁକ୍ତକୁ ସହରରୁ ବାହାର କରିବା ପାଇଁ ସେନା ଓ ନ୍ୟାସନାଲ୍ ଗାର୍ଡକୁ ବେଶ୍ କସରତ କରିବାକୁ ପଡ଼ିଥିଲା । ଶେଷରେ ଶନିବାର ସକାଳ ପ୍ରାୟ ୪ଟାରେ ତାକୁ ସୁରକ୍ଷିତ ଭାବେ ସେଠାରୁ ବାହାର କରାଯାଇଥିଲା ।
ଫାଉଷ୍ଟୋ ଇସିଡ୍ରୋ ମେଜା-ଫ୍ଲୋରେସ୍ ପୂର୍ବରୁ ବେଲ୍ଟ୍ରାନ୍ ଲେଭା କାର୍ଟେଲ୍ ସହ ଜଡ଼ିତ ଥିଲା । ପରବର୍ତ୍ତୀ ସମୟରେ ସେ ନିଜର ଅଲଗା ଅପରାଧିକ ସଂଗଠନ ଗଢ଼ିଥିଲା । ଆମେରିକୀୟ ଏଜେନ୍ସିଗୁଡ଼ିକ ତାକୁ ନିଶାଦ୍ରବ୍ୟ ଚୋରା ଚାଲାଣ ଓ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଖୋଜୁଥିଲେ । ଏହି ଅପରେସନରେ ଆମେରିକାର ଗୁପ୍ତ ସୂଚନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ମେକ୍ସିକୋ ସରକାରଙ୍କ ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଆମେରିକାର ରାଷ୍ଟ୍ରଦୂତ ଏହାକୁ ଦୁଇ ଦେଶ ମଧ୍ୟରେ ସହଯୋଗ ଓ ବିଶ୍ୱାସର ଫଳ ବୋଲି କହିଛନ୍ତି ।
ତେବେ ଏହି ଗିରଫଦାରୀ ପରେ ସିନାଲୋଆରେ ହିଂସା ଆହୁରି ବଢ଼ିବା ଆଶଙ୍କା ରହିଛି । ବଡ଼ ବଡ଼ କାର୍ଟେଲ୍ ମୁଖିଆଙ୍କ ଗିରଫଦାରୀ ପରେ ସଂଗଠନ ଭିତରେ କ୍ଷମତା ଦଖଲକୁ ନେଇ ସଂଘର୍ଷ ଆରମ୍ଭ ହୋଇପାରେ ବୋଲି ବିଶେଷଜ୍ଞମାନେ ଚେତାଇଛନ୍ତି । ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ସମ୍ପୂର୍ଣ୍ଣ ନେଟୱର୍କକୁ ଧ୍ୱଂସ କରିବା ଏକ ବଡ଼ ଆହ୍ୱାନ ।
ଏପଟେ ମେକ୍ସିକୋ ରାଷ୍ଟ୍ରପତିଙ୍କ ଉପରେ କାର୍ଟେଲ୍ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକାର ଚାପ ଜାରି ରହିଛି । ତେଣୁ ଏହି ଗିରଫଦାରୀକୁ ଦୁଇ ଦେଶ ପାଇଁ ବଡ଼ ସୁରକ୍ଷା ସଫଳତା ଭାବେ ଦେଖାଯାଉଛି । ହେଲେ ଗୁଆସାଭେର ରାସ୍ତାରେ ଜଳିଥିବା ଗାଡ଼ି ଓ ଲୋକଙ୍କ ମନରେ ରହିଥିବା ଭୟ ସ୍ପଷ୍ଟ କରୁଛି ଯେ, ଏଠାରେ ଶାନ୍ତି ଫେରାଇ ଆଣିବା ଏତେ ସହଜ ନୁହେଁ ।
