ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜୟନ୍ତୀ ପାଳିତ: ଅମର ବଳିଦାନର ଆଦର୍ଶକୁ ଯୁବପିଢ଼ି ନିକଟରେ ପହଞ୍ଚାଇବାକୁ ଆହ୍ୱାନ

ବ୍ରହ୍ମପୁର, ୨୨/୧୧/୨୬: ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଗଞ୍ଜାମ ଆନୁକୂଲ୍ୟରେ ଆଜି ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ଭକ୍ତିପୂତ ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ଉପସ୍ଥିତ ଅତିଥିମାନେ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଅମର ବଳିଦାନର ସ୍ମୃତିଚାରଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ଏବଂ କମିଶନର ଆକବରମ ସସ୍ୟା ରେଡ୍ଡୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ଶହୀଦ ଲକ୍ଷ୍ମଣ ନାୟକଙ୍କ ଅଦମ୍ୟ ସାହସ, ଦେଶପ୍ରେମ ଓ ତ୍ୟାଗର ଅମର ମହାନ ଗାଥାକୁ ସ୍ମରଣ କରିଥିଲେ। ବ୍ରିଟିଶ ଶାସନ ବିରୋଧରେ କୋରାପୁଟ ଅଞ୍ଚଳର ଆଦିବାସୀମାନଙ୍କୁ ସଂଗଠିତ କରିବା ଏବଂ ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନରେ ତାଙ୍କର ନିର୍ଭୀକ ନେତୃତ୍ୱ ଓ ବଳିଦାନ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ଅଲିଭା ଅଧ୍ୟାୟ ବୋଲି ସେମାନେ ଉଲ୍ଲେଖ କରିଥିଲେ। ତାଙ୍କ ତ୍ୟାଗ ଓ ବଳିଦାନର ଆଦର୍ଶକୁ ଆଗାମୀ ଯୁବପିଢ଼ି ନିକଟରେ ପହଞ୍ଚାଇବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହାଦ୍ୱାରା ଯୁବସମାଜ ମଧ୍ୟରେ ଦେଶଭକ୍ତିର ଭାବନା ଆହୁରି ସୁଦୃଢ଼ ହୋଇପାରିବ ବୋଲି ବକ୍ତାମାନେ ଆଶାବ୍ୟକ୍ତ କରିଥିଲେ।
ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମଣ୍ଡଳ କାରାଗାରର ବରିଷ୍ଠ ଅଧୀକ୍ଷକ ଧୀରେନ୍ଦ୍ରନାଥ ବାରିକ, ଜେଲର ଲକ୍ଷ୍ମୀକାନ୍ତ ଧାଙ୍ଗଡ଼ା ମାଝୀ, ବ୍ରହ୍ମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକ୍ରମ ମହାରଣା, ସଞ୍ଚାଳକ ଲୋକନାଥ ଶତପଥୀ, କାରାଗାରର କର୍ମଚାରୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ଶହୀଦଙ୍କ ପ୍ରତି ଗଭୀର ସମ୍ମାନ ପ୍ରଦର୍ଶନ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ ଜନ୍ମଗ୍ରହଣ କରିଥିବା ମହାନ ବିପ୍ଳବୀ ଶହୀଦ ଲକ୍ଷ୍ମଣ ନାୟକଙ୍କୁ ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖରେ ଏହି ବ୍ରହ୍ମପୁର କାରାଗାରରେ ବ୍ରିଟିଶ ଶାସକ ଫାଶୀ ଦେଇଥିଲେ। ତାଙ୍କ ବଳିଦାନର ମୂକସାକ୍ଷୀ ଏହି ପବିତ୍ର କାରାଗାର ପରିସରରେ ଜୟନ୍ତୀ ପାଳନ ତାଙ୍କ ସ୍ମୃତିକୁ ଜୀବନ୍ତ ରଖିବା ସହ ଦେଶମାତୃକା ପାଇଁ ତାଙ୍କ ଅମର ତ୍ୟାଗକୁ ପୁନଃ ସ୍ମରଣ କରାଇଛି।
