ସୀମାନ୍ତ ଚିତ୍ରକୋଣ୍ଡାରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ସାରସ୍ୱତ ଆଲୋଚନାଚକ୍ର: ମାତୃଭାଷା ଓଡ଼ିଆର ସୁରକ୍ଷା ଓ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ମାତୃଭୂମି ଓ ମାତୃଭାଷା ପରିବାରର ମିଳିତ ସହଯୋଗରେ ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ତଥା ସାରସ୍ୱତ ଆଲୋଚନାଚକ୍ର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯାଇ ମଞ୍ଚାସୀନ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ସାହିତ୍ୟିକ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ କବି, ଲେଖକ, ସାହିତ୍ୟିକ ଓ ବୁଦ୍ଧିଜୀବୀ ଯୋଗଦେଇ ନିଜ ନିଜ ସ୍ୱରଚିତ କବିତା ପାଠ କରିଥିଲେ। କବିତା ମାଧ୍ୟମରେ ସମାଜର ବାସ୍ତବ ଚିତ୍ର, ପ୍ରକୃତିର ସୌନ୍ଦର୍ଯ୍ୟ, ମାତୃଭାଷାର ମହତ୍ତ୍ୱ ଏବଂ ମାନବୀୟ ମୂଲ୍ୟବୋଧକୁ ଅତି ସୁନ୍ଦର ଭାବରେ ଉପସ୍ଥାପନ କରାଯାଇଥିଲା, ଯାହା ଉପସ୍ଥିତ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ପରବର୍ତ୍ତୀ ପର୍ଯ୍ୟାୟରେ ଆୟୋଜିତ ‘ସାରସ୍ୱତ ଆଲୋଚନା’ରେ ମାତୃଭାଷା ଓଡ଼ିଆର ସୁରକ୍ଷା, ପ୍ରଚାର-ପ୍ରସାର ଏବଂ ଆଧୁନିକ ସମୟରେ ସାହିତ୍ୟର ଭୂମିକା ଉପରେ ବକ୍ତାମାନେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ଆଦିବାସୀ ଅଧ୍ୟୁଷିତ ଚିତ୍ରକୋଣ୍ଡା ଭଳି ଦୁର୍ଗମ ଅଞ୍ଚଳରେ ଏଭଳି ରାଜ୍ୟସ୍ତରୀୟ ସାହିତ୍ୟ ଆସର ଆୟୋଜନ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳର ସାହିତ୍ୟପ୍ରେମୀ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ଦ୍ୱାରା ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଓଡ଼ିଆ ଭାଷାର ବ୍ୟାପକ ପ୍ରଚାର ପ୍ରସାର ହେବା ସହ ସ୍ଥାନୀୟ ଲୋକେ ପଡ଼ୋଶୀ ରାଜ୍ୟ ମୁହାଁ ହେବେ ନାହିଁ ବୋଲି ଅତିଥି ଓ ବକ୍ତାମାନେ ମତ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମାଲକାନଗିରି ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମନାଥ ପ୍ରଧାନ, ଚିତ୍ରକୋଣ୍ଡା ତହସିଲଦାର ଶ୍ରୀ ନଟବର ଗରଡ଼ା, ମୁଖ୍ୟ ବକ୍ତା ଭାବେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ଭଗବାନ ଚନ୍ଦ୍ର ତ୍ରିପାଠୀ ଏବଂ ସ୍ୱତନ୍ତ୍ର ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଚିବ ସଞ୍ଜୟ ଛୁଆଳସିଂହ ଯୋଗ ଦେଇଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ପ୍ରକାଶ ପାଣିଗ୍ରାହୀ ଏଥିରେ ସଭାପତିତ୍ୱ କରିଥିବା ବେଳେ ମାତୃଭୂମି ଓ ମାତୃଭାଷା ପରିବାରର ଉପେନ୍ଦ୍ର ବିଶ୍ୱାଳ କାର୍ଯ୍ୟକ୍ରମର ଆବାହକ ଭାବେ ଯୋଗ ଦେଇଥିଲେ। ଶେଷରେ ସମସ୍ତ ଅତିଥି, କବି ଓ ଅଂଶଗ୍ରହଣକାରୀଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ଚିତ୍ରକୋଣ୍ଡା ଚିତ୍ରଗିରି ସାହିତ୍ୟ ସଂସଦର ସମସ୍ତ ସଦସ୍ୟଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସହଯୋଗରେ କାର୍ଯ୍ୟକ୍ରମଟି ବହୁ ଉଚ୍ଚକୋଟୀର ହେବା ସହ ସଫଳମଣ୍ଡିତ ହୋଇପାରିଛି।
