ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ଆକଳନ ସହ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ: ଗଞ୍ଜାମରେ ଜଳସେଚନ ଭିତ୍ତିଭୂମିର ସମୀକ୍ଷା କଲେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ

kalipuja

ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଜଳସେଚନ ଭିତ୍ତିଭୂମିର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱାରୋପ

ବ୍ରହ୍ମପୁର, ତା ୨୨/୧୧/୨୦୨୬: ଗଞ୍ଜାମ ଜିଲ୍ଲାରେ ବାତ୍ୟା ଓ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ଏବଂ ଜଳସେଚନ ଭିତ୍ତିଭୂମିର ସ୍ଥିତି ସମୀକ୍ଷା କରିଛନ୍ତି ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପ୍ରଭାବିତ ହୋଇଥିବା ଜଳସେଚନ ପ୍ରକଳ୍ପଗୁଡ଼ିକର ସ୍ଥିତି ପରଖିବା ସହ ଶୀଘ୍ର ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି।

ଜିଲ୍ଲାର ବିଭିନ୍ନ ଜଳଭଣ୍ଡାର ଓ କ୍ଷତିଗ୍ରସ୍ତ ଭିତ୍ତିଭୂମି ପରିଦର୍ଶନ କରି ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ପରେ, ସେ ବ୍ରହ୍ମପୁରସ୍ଥିତ ଋଷିକୁଲ୍ୟା-ବଂଶଧାରା-ନାଗାବଳୀ ଅବବାହିକାର ମୁଖ୍ୟ ଯନ୍ତ୍ରୀ ତଥା ଅବବାହିକା ପରିଚାଳକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଜିଲ୍ଲାରେ ବାତ୍ୟା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଏବଂ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟର ଏକ ସାମଗ୍ରିକ ଚିତ୍ର ଉପସ୍ଥାପନ କରିଥିଲେ।

ବୈଠକରେ ବାତ୍ୟା ‘ଅକଭାନ୍’ର ପ୍ରଭାବ, ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି, ଜଳଭଣ୍ଡାର ପରିଚାଳନା ଏବଂ ଜିଲ୍ଲାର ଜଳସେଚନ ଭିତ୍ତିଭୂମିର ସ୍ଥିତି ଓ ଏହାର ଉନ୍ନତିକରଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବାତ୍ୟା ‘ଅକଭାନ୍’ ସମୟରେ ବିଭାଗ ଅଧୀନରେ ଥିବା ବିଭିନ୍ନ ପ୍ରକଳ୍ପ ଓ ଭିତ୍ତିଭୂମିରେ ହୋଇଥିବା କ୍ଷୟକ୍ଷତିର ଯୁଦ୍ଧକାଳୀନ ଭିତ୍ତିରେ ଆକଳନ କରି ତୁରନ୍ତ କ୍ଷୟକ୍ଷତିର ବିବରଣୀ ଓ ଆକଳନ ରିପୋର୍ଟ ପ୍ରଦାନ କରିବାକୁ ପ୍ରମୁଖ ଶାସନ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କ୍ଷତିଗ୍ରସ୍ତ କେନାଲ ଓ ନଦୀବନ୍ଧଗୁଡ଼ିକର ମରାମତି କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ଗଞ୍ଜାମ ଜିଲ୍ଲାରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଏବଂ ଜଳ ସମ୍ପଦ ବିଭାଗ ଉପରେ ଜନସାଧାରଣଙ୍କର ଅନେକ ଆଶା ଓ ଅପେକ୍ଷା ରହିଥିବା ଉଲ୍ଲେଖ କରି, ଏହି ସମୟରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଧିକ ଦାୟିତ୍ୱବାନ ହୋଇ କାର୍ଯ୍ୟ କରିବା ସହିତ ଆବଶ୍ୟକସ୍ଥଳେ ଦିନରାତି ଏକ କରି କାମ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

ବାତ୍ୟା ଓ ବନ୍ୟା ସମୟରେ ବିଭାଗୀୟ ଯନ୍ତ୍ରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କ ନିଷ୍ଠାପର ଉଦ୍ୟମ ଓ ଜିଲ୍ଲା ପ୍ରଶାସନ ସହ ସେମାନଙ୍କର ଉତ୍ତମ ସମନ୍ୱୟକୁ ସେ ପ୍ରଶଂସା କରିଥିଲେ।

ବୈଠକରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ. ବିଘ୍ନରାଜ ପୁରୋହିତ, ବ୍ରହ୍ମପୁର ମହାନଗର ନିଗମ କମିଶନର ଆକବରମ ସସ୍ୟା ରେଡ୍ଡୀ, ଋଷିକୁଲ୍ୟା-ବଂଶଧାରା-ନାଗାବଳୀ ଅବବାହିକାର ମୁଖ୍ୟ ଯନ୍ତ୍ରୀ ତଥା ଅବବାହିକା ପରିଚାଳକ ଜଗନ୍ନାଥ ପାଣିଙ୍କ ସମେତ ବ୍ରହ୍ମପୁର, ଚିକିଟି ଓ ଭଞ୍ଜନଗର ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ନିରଞ୍ଜନ ସାହୁ, ସୁବ୍ରତ ପଟ୍ଟନାୟକ, ବିଷ୍ଣୁଚରଣ ସାହୁ ଓ ବିଭିନ୍ନ ଶାଖାର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.