ବାତ୍ୟା ‘ଅକଭାନ୍’ ବେଳେ ପାତ୍ରପୁରରେ ଦେବଗଡ଼ ଓଡ୍ରାଫ୍ ଟିମ୍ର ପ୍ରଶଂସନୀୟ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ; ବିଡିଓଙ୍କ ପକ୍ଷରୁ ମିଳିଲା ପ୍ରଶଂସାପତ୍ର

ବାତ୍ୟା ‘ଅକଭାନ୍’ ପୂର୍ବରୁ ଓ ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକରେ ଦେବଗଡ଼ ଚତୁର୍ଥ ଆଇ.ଆର.ବି.ଏନ୍. (IRBN) ଓଡ୍ରାଫ୍ ଟିମ୍ ଉଲ୍ଲେଖନୀୟ ସେବା ପ୍ରଦାନ କରିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ସୁରକ୍ଷା ଏବଂ ଅଞ୍ଚଳର ସ୍ଥିତି ସ୍ୱାଭାବିକ କରିବାରେ ଏହି ଟିମ୍ ପ୍ରମୁଖ ଭୂମିକା ଗ୍ରହଣ କରିଛି।
ନଭେମ୍ବର ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ପାତ୍ରପୁର ବ୍ଲକର ବିଭିନ୍ନ ଗ୍ରାମରେ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଏହି ଟିମ୍ ବିପଦରେ ଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ରାସ୍ତା ଉପରେ ପଡ଼ିଥିବା ଗଛ ଓ ଡାଳ ସଫା କରି ଯାତାୟାତ ସ୍ୱାଭାବିକ କରିଥିଲେ। ଏହା ସହିତ ଭାଙ୍ଗି ପଡ଼ିଥିବା ବିଦ୍ୟୁତ୍ ଖୁଣ୍ଟ ଓ ତାର ହଟାଇବା ସହ ବିଦ୍ୟୁତ୍ ସରବରାହ ପୁନଃସ୍ଥାପନ କାର୍ଯ୍ୟରେ ମଧ୍ୟ ପ୍ରଶାସନକୁ ସକ୍ରିୟ ସହଯୋଗ କରିଥିଲେ। ଟିମ୍ର ଏଭଳି ତ୍ୱରିତ ପଦକ୍ଷେପ ଯୋଗୁଁ ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ଶୀଘ୍ର ସ୍ୱାଭାବିକ ହୋଇପାରିଥିଲା।
ପ୍ରତିକୂଳ ପାଗ ଓ କଠିନ ପରିସ୍ଥିତିରେ ନିଷ୍ଠାର ସହ ସେବା ଯୋଗାଇଥିବା ଏହି ଟିମ୍ର କର୍ତ୍ତବ୍ୟନିଷ୍ଠାକୁ ସବୁ ମହଲରେ ସ୍ୱାଗତ କରାଯାଇଛି। ସେମାନଙ୍କ ଏହି ଉତ୍ସର୍ଗୀକୃତ ସେବା ପାଇଁ ପାତ୍ରପୁର ବ୍ଲକବାସୀଙ୍କ ପକ୍ଷରୁ ସ୍ଥାନୀୟ ବିଡିଓ ଟିମ୍କୁ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି।
ଏସ୍.ଆଇ. (ଆର୍ମଡ୍) ଜଗତରାମ ସାଏଙ୍କ ନେତୃତ୍ୱରେ ଉପାସୁ ମାହାର, ପୁରୁଷୋତ୍ତମ ସାମଲ, ଶୁଭେନ୍ଦୁ ପ୍ରଧାନ, ପୀତାବାସ ସାହୁ, ଟି. ସୁନ୍ଦର ସାହୁ, ପ୍ରଶାନ୍ତ ସାହୁ, ଦୁର୍ଗା ମୁଣ୍ଡା, ଭୂପେନ ସାମଲ, ବିଭୂତି ଭୂଷଣ ସାହୁ, ରବୀନ୍ଦ୍ର ବେହେରା, ଜ୍ଞାନନିଧି ଭୋଇ ଓ ଡ୍ରାଇଭର ପରେଶ ପ୍ରଧାନ ଏହି ସେବା କାର୍ଯ୍ୟରେ ସାମିଲ ଥିଲେ।
