
କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ OSSTET-୨୦୨୬ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ମୋଟ ୭୯.୧୫ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଗତ ସେପ୍ଟେମ୍ବର ୩୦ ତାରିଖରେ ପରୀକ୍ଷା ହୋଇଥିବାବେଳେ ଉଭୟ ପେପର୍ରେ ମୋଟ ୫୯ ହଜାର ୩୫୭ ଜଣ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ ।
ପରିଷଦର ସୂଚନା ଅନୁଯାୟୀ, ପେପର୍-୧ରେ ୫୫ ହଜାର ୧୯୩ ଜଣ ଫର୍ମ ପୂରଣ କରିଥିବାବେଳେ ୫୨ ହଜାର ୧୯ ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୪୧ ହଜାର ୧୯୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ୍ ହାର ରହିଛି ୭୯.୧୯ ପ୍ରତିଶତ।ସେହିପରି ପେପର୍-୨ରେ ୪ ହଜାର ୧୬୪ ଜଣ ଫର୍ମ ପୂରଣ କରିଥିବାବେଳେ ୩ ହଜାର ୯୪୯ ଜଣ ପରୀକ୍ଷା ଦେଇଥିଲେ । ଏଥିରେ ୩ ହଜାର ୧୦୬ ଜଣ କୃତକାର୍ଯ୍ୟ ହୋଇଛନ୍ତି ।
ପାସ୍ ହାର ୭୮.୬୫ ପ୍ରତିଶତ ରହିଛି । ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀମାନେ ନଭେମ୍ବର ୨୫ ତାରିଖ ସକାଳ ୧୦ଟାରୁ ନିର୍ଦ୍ଧାରିତ ଦେୟ ପୈଠ କରି ପରିଷଦର ୱେବ୍ସାଇଟ୍ରୁ ଡିଜିଟାଇଜ୍ଡ ସାର୍ଟିଫିକେଟ୍ ଡାଉନ୍ଲୋଡ୍ କରିପାରିବେ । ଅନ୍ୟପକ୍ଷରେ ଅକୃତକାର୍ଯ୍ୟ ପରୀକ୍ଷାର୍ଥୀମାନେ ଡିସେମ୍ବର ୨ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନିଜର ଓଏମଆର ଉତ୍ତର ଖାତା ଡାଉନ୍ଲୋଡ୍ କରିପାରିବେ । ପରିଷଦର ୱେବ୍ସାଇଟ୍ www.bseodisha.ac.in ଏବଂ www.bseodisha.nic.in ରେ ଫଳ ଉପଲବ୍ଧ ହେଉଥିବା ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।
