ଜାମା ମସଜିଦ ଥାନାରେ ଛୁରାମାଡ଼, ୫ ପୋଲିସ କର୍ମୀ ଆହତ

kalipuja

ନୂଆଦିଲ୍ଲୀ: ଥାନା ଭିତରେ ପୋଲିସ କର୍ମୀଙ୍କୁ ଛୁରା ମାଡ଼ ଭଳି ଅତ୍ୟନ୍ତ ସମ୍ୱେଦନଶୀଳ ଘଟଣା ସାମନାକୁ ଆସିଛି । ଦିଲ୍ଲୀର ଜାମା ମସଜିଦ ଥାନା ଭିତରେ ପୋଲିସ କର୍ମଚାରୀଙ୍କୁ ଜଣେ ଯୁବକ ଛୁରିରେ ଆକ୍ରମଣ କରିଛି । ପ୍ରାରମ୍ଭିକ ସୂଚନା ଅନୁସାରେ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।

ଖବର ଅନୁସାରେ, ସୋମବାର ଅପରାହ୍ଣ ପ୍ରାୟ ୨ଟା ୩୦ରେ ଏହି ଘଟଣା ଘଟିଥିଲା । ନବୀଲ ନାମକ ଜଣେ ବ୍ୟକ୍ତିଙ୍କୁ ପାରିବାରିକ ବିବାଦ ସମ୍ପର୍କିତ ଏକ ଅଭିଯୋଗର ତଦନ୍ତ ପାଇଁ ପୋଲିସ ଥାନାକୁ ଡାକିଥିଲା । ତାଙ୍କ ମାଆ ଓ ଭଉଣୀଙ୍କୁ ସେ ହଇରାଣ କରୁଥିବା ନେଇ ଅଭିଯୋଗ ହୋଇଥିଲା ।

ପୋଲିସ କହିବା ଅନୁସାରେ, ଥାନାରେ ପଚରାଉଚରା ବେଳେ ନବୀଲ ହଠାତ୍ ପୋଲିସ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମୁହଁ ଓ ବେକରେ ଆଘାତ ଲାଗିଛି । ଆହତ ପୋଲିସଙ୍କୁ ପ୍ରଥମେ ସଞ୍ଜୀବନ ହସ୍ପିଟାଲକୁ ନିଆଯାଇଥିଲା । ପରେ ୩ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ସାର୍ ଗଙ୍ଗାରାମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଆକ୍ରମଣ ପରେ ଅଭିଯୁକ୍ତ ଥାନାରୁ ଫେରାର ହୋଇଯାଇଥିଲେ । ଫେରାର୍ ହେବା ବେଳେ ଏକ ଦୁଇଚକିଆ ଯାନ ମଧ୍ୟ ନେଇଯାଇଥିବା ଅଭିଯୋଗ ହୋଇଛି । ପରେ ଦିଲ୍ଲୀ ପୋଲିସର ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ଅପରେସନ୍ସ ୟୁନିଟ୍ ଅଭିଯୁକ୍ତକୁ ଠାବ କରିଥିଲା । ଧରିବାକୁ ଉଦ୍ୟମ ବେଳେ ପୁଣିଥରେ ସେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ପୋଲିସ କହିଛି । ଏହାପରେ ପୋଲିସ ଗୁଳି ଚଳାଇଥିଲା । ଅଭିଯୁକ୍ତର ଦୁଇ ଗୋଡ଼ରେ ଗୁଳି ବାଜିଛି । ବର୍ତ୍ତମାନ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

ad-week
Leave A Reply

Your email address will not be published.