
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ବାଲି ଚୋରା ଚାଲାଣ ରୋକିବା ନାଁରେ ପ୍ରଶାସନର ଦୋମୁହାଁ ନୀତିକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଞ୍ଚଳରେ ମାଳମାଳ ବେଆଇନ ବାଲି ଘାଟରୁ ଦିନରାତି ଖୋଲାଖୋଲି ଭାବେ ବାଲି ଲୁଟ୍ ଚାଲିଥିବା ବେଳେ ପ୍ରଶାସନ ସେଗୁଡ଼ିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ନିରବଦ୍ରଷ୍ଟା ସାଜିଛି। ଅପରପକ୍ଷରେ, ସରକାରୀ ନିୟମ ଅନୁଯାୟୀ ‘ୱାଇ-ଫର୍ମ’ (Y-Form) ବ୍ୟବହାର କରି ବାଲି ପରିବହନ କରୁଥିବା ବୈଧ ଲିଜ୍ଧାରୀ ବାଲି ଘାଟଗୁଡ଼ିକ ଉପରେ ପ୍ରଶାସନ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଉଥିବା ଅଭିଯୋଗ ହୋଇଛି।

ପ୍ରଶାସନର ଏହି ଅଜବ ନୀତିର ଏକ ନଗ୍ନ ନମୁନା ଗତ ମଙ୍ଗଳବାର ରାତିରେ ଦେଖିବାକୁ ମିଳିଛି। ପ୍ରଶାସନିକ ଅଧିକାରୀମାନେ ଆସିକା ଅଞ୍ଚଳର ମଙ୍ଗଳପୁର ଲିଜ୍ଧାରୀ ବାଲି ଘାଟ ଉପରେ ଅତର୍କିତ ଚଢ଼ାଉ କରି ସେଠାରୁ ୫ଟି ହାଇୱା ଗାଡ଼ିକୁ ଜବତ କରିଛନ୍ତି। ଲିଜ୍ଧାରୀ ଘାଟରେ ସମସ୍ତ ବୈଧ କାଗଜପତ୍ର ଓ ‘ୱାଇ-ଫର୍ମ’ ଥିବା ସତ୍ତ୍ୱେ ଏଭଳି ଚଢ଼ାଉ କରାଯିବାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସ୍ଥାନୀୟ ଅଞ୍ଚଳରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ବେଆଇନ ବାଲି ମାଫିଆଙ୍କଠାରୁ ପ୍ରଶାସନର କେତେକ ଅସାଧୁ ଅଧିକାରୀ ମୋଟା ଅଙ୍କର ବଟି ଆଦାୟ କରି ସେମାନଙ୍କୁ ବାଲି ଲୁଟ୍ କରିବା ପାଇଁ ଖୋଲା ଛୁଟ୍ ଦେଇଛନ୍ତି। ଫଳରେ ବେଆଇନ ଘାଟଗୁଡ଼ିକ ବେଧଡ଼କ ଭାବେ ଚାଲୁଥିବା ବେଳେ ରାଜସ୍ୱ ଦେଉଥିବା ଲିଜ୍ଧାରୀମାନେ ପ୍ରଶାସନିକ ଆକ୍ରୋଶର ଶିକାର ହେଉଛନ୍ତି। ଆସିକା ଅଞ୍ଚଳରେ ପ୍ରଶାସନର ଏଭଳି ପକ୍ଷପାତିତା ଓ ନୀରବତା ଯୋଗୁଁ ସରକାରୀ ରାଜସ୍ୱ ହାନି ହେବା ସହ ପରିବେଶ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ବେଆଇନ ଘାଟଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
