ମାଲକାନଗିରିରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ : ସଫଳ ଚାଷୀଙ୍କୁ ସମ୍ମାନିତ, ହିତାଧିକାରୀଙ୍କୁ ସହାୟତା ପ୍ରଦାନ

kalipuja

ମାଲକାନଗିରି : ମାଲକାନଗିରି ସଦର ମଲିକେଶ୍ୱର୍ ଖେଳ ପଡିଆଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୬ ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜିତ ହୋଇଥିଲା। ଏହି ମେଳାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଯୋଜନା, ଚାଷୀଙ୍କ ଆୟ ବୃଦ୍ଧି ଏବଂ ଆତ୍ମନିର୍ଭରଶୀଳତା ଉପରେ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ତରୁଣ କୁମାର ମଲ୍ଲିକ ଏବଂ ସମ୍ମାନନୀୟ ଅତିଥି ଭାବେ ମାଲକାନଗିରି ବ୍ଲକ୍ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଯୋଗଦେଇଥିଲେ। ଡଃ ବିଭୁପ୍ରସାଦ ନାୟକ, ଡେପୁଟି ଡାଇରେକ୍ଟରଙ୍କ ତତ୍ତ୍ୱାବଧାନରେ ମାଲକାନଗିରି ବ୍ଲକ୍‌ର ୧୯ଟି ପଞ୍ଚାୟତରୁ ଶତାଧିକ ଚାଷୀ ଓ ହିତାଧିକାରୀଙ୍କୁ ନେଇ ଏହି ମେଳା ଆୟୋଜିତ ହୋଇଥିଲା। ତରୁଣ କୁମାର ମଲ୍ଲିକ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ମେଳାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ସମ୍ପର୍କିତ ଷ୍ଟଲ୍ ଖୋଲାଯାଇଥିଲା। ମାଲକାନଗିରି ନଗରସ୍ଥିତ ଏକ୍ସ ବୋର୍ଡ ସ୍କୁଲର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଷ୍ଟଲ୍‌ଗୁଡ଼ିକ ପରିଦର୍ଶନ କରି ବିଭାଗୀୟ କାର୍ଯ୍ୟକଳାପ ଓ ଯୋଜନା ବିଷୟରେ ଜାଣିଥିଲେ। ସେହିପରି ବି.ବି. ଗୁଡ଼ା ସ୍କୁଲର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ମେଳାକୁ ଆକର୍ଷଣୀୟ କରିଥିଲେ।
ଏହି ଅବସରରେ ବ୍ଲକ୍‌ର ୧୯ଟି ପଞ୍ଚାୟତରୁ ଆସିଥିବା ଚାଷୀଙ୍କ ମଧ୍ୟରୁ ଚାରିଜଣ ସଫଳ ଚାଷୀଙ୍କୁ ପ୍ରତ୍ୟେକ ୨,୦୦୦ ଟଙ୍କା, ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଚାରିଜଣ ହିତାଧିକାରୀଙ୍କୁ ନୂତନ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ଅନୁମତିପତ୍ର ଏବଂ ଅନ୍ୟ ଛଅଜଣ ହିତାଧିକାରୀଙ୍କୁ ସବ୍‌ସିଡି ଚେକ୍ ପ୍ରଦାନ କରାଯାଇଥିଲା।
ଶାନ୍ତା ଅଧିକାରୀ ମଞ୍ଚ ପରିଚାଳନା କରିଥିବାବେଳେ ଡ. ସୌମ୍ୟ ରଞ୍ଜନ ରାଉତ, ଡଃ ଆୟାଂଶୁ ବିକାଶ ରଣା, ଡଃ ଚିନ୍ମୟ ସାହୁ ଓ ସାରଦା ହାଲଦାର କାର୍ଯ୍ୟକ୍ରମ ସଂଯୋଜନାରେ ସହଯୋଗ କରିଥିଲେ।
ମେଳାରେ ଉପସ୍ଥିତ ଅତିଥି ଓ ବିଭାଗୀୟ ଅଧିକାରୀମାନେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଯୋଜନା, ଚାଷୀଙ୍କ ପାଇଁ ଉପଲବ୍ଧ ସୁବିଧା ଓ ସରକାରୀ ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ମତ୍ସ୍ୟ ଅଧିକାରୀ ସୁଶାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.