
ବିରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସହରରେ ଶବ୍ଦ ପ୍ରଦୂଷଣ ଏବଂ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସହରରେ ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା ବେଆଇନ ଭାବେ ପରିବର୍ତ୍ତିତ (ମୋଡିଫାଏଡ୍) ସାଇଲେନ୍ସର ଲାଗିଥିବା ୭ଟି ମୋଟରସାଇକେଲ୍କୁ ରାଉରକେଲା ପୋଲିସ ଜବତ କରିଛି।
ସାଧାରଣ ଜନତାଙ୍କୁ ଅଯଥା ଶବ୍ଦ ପ୍ରଦୂଷଣ ଓ ଯାତାୟାତ ଅସୁବିଧାରୁ ରକ୍ଷା କରିବା ଉଦ୍ଦେଶ୍ୟରେ ପୋଲିସ ପକ୍ଷରୁ ଏହି ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଚଳାଯାଇଥିଲା। ଜବତ ହୋଇଥିବା ସମସ୍ତ ୭ଟି ବାଇକ୍ରୁ ବେଆଇନ ସାଇଲେନ୍ସରଗୁଡ଼ିକୁ ଖୋଲି ଦିଆଯାଇଛି। ଏହାସହିତ ସମ୍ପୃକ୍ତ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)କୁ ପୋଲିସ ପକ୍ଷରୁ ଏକ ଅନୁରୋଧ ପତ୍ର ପଠାଯାଇଛି।
ରାସ୍ତା ସୁରକ୍ଷା, ସହରରେ ଜନଶାନ୍ତି ବଜାୟ ରଖିବା ଏବଂ ଟ୍ରାଫିକ୍ ନିୟମର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବା ପାଇଁ ରାଉରକେଲା ପୋଲିସ ସଦା ପ୍ରତିବଦ୍ଧ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥିସହ ଟ୍ରାଫିକ୍ ନିୟମ ମାନି ଚଳିବା, ଜନଶାନ୍ତିର ସମ୍ମାନ କରିବା ଏବଂ ଶବ୍ଦ ପ୍ରଦୂଷଣକୁ ‘ନା’ କହିବା ପାଇଁ ପୋଲିସ ପକ୍ଷରୁ ସାଧାରଣ ଜନତା ଓ ଯୁବପିଢ଼ିଙ୍କୁ ନିବେଦନ କରାଯାଇଛି।
