ଡିଲିମିଟେସନ୍ ବିଲ୍ କୁ ନେଇ ବିଜେଡିର ପ୍ରତିକ୍ରିୟା, ପ୍ରସ୍ତାବିତ ବିଲର ସମସ୍ତ ବ୍ୟବସ୍ଥା ଅନୁଧ୍ୟାନ ପରେ ଦଳ ନେବ ଚୂଡ଼ାନ୍ତ ନିଷ୍ପତ୍ତି

kalipuja

ଭୁବନେଶ୍ୱର: ଡିଲିମିଟେସନ୍ ବିଲ୍ କୁ ନେଇ ବିଜେଡିର ଆଭିମୁଖ୍ୟ ସ୍ଥିର କରିବେ ଦଳର ସୁପ୍ରିମ ନବୀନ ପଟ୍ଟନାୟକ । ନବୀନଙ୍କ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ । ଓଡ଼ିଶାର ରାଜନୈତିକ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବ । ବିଜେଡି ପାଇଁ ଓଡ଼ିଶାର ସ୍ୱାର୍ଥ ସର୍ବୋପରି ପରି ଦଳ ପକ୍ଷରୁ କୁହାଯାଇଛି ।  ସବୁ ରାଜ୍ୟରେ ସମାନ ଭାବେ ୫୦ ପ୍ରତିଶତ ଆସନ ବୃଦ୍ଧି ସପକ୍ଷରେ ବିଜେଡି । ବିଲର ତର୍ଜମା ପରେ ନବୀନଙ୍କ ନିର୍ଦ୍ଦେଶ ଅନୁଯାୟୀ ନିଷ୍ପତ୍ତି ନେବ ସଂସଦୀୟ ଦଳ । ଡିଲିମିଟେସନ୍ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛି ବିଜୁ ଜନତା ଦଳ ।

ପ୍ରସ୍ତାବିତ ବିଲର ସମସ୍ତ ବ୍ୟବସ୍ଥାକୁ ଭଲ ଭାବେ ଅନୁଧ୍ୟାନ କରିବା ପରେ ହିଁ ଦଳ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଓଡ଼ିଶା ଓ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ବିଜେଡି ସବୁବେଳେ ପ୍ରାଥମିକତା ଦେଇଆସିଛି । ରାଜ୍ୟର ସ୍ୱାର୍ଥ ସହ କୌଣସି ପରିସ୍ଥିତିରେ ସାଲିସ୍ କରାଯିବ ନାହିଁ ବୋଲି ଦଳ ସ୍ପଷ୍ଟ କରିଛି । ବର୍ତ୍ତମାନ ଲୋକସଭାରେ ବିଜେଡିର କୌଣସି ସାଂସଦ ନାହାନ୍ତି । ତେଣୁ ସଂସଦରେ ବିଧିବଦ୍ଧ ଭାବେ ବିଲ୍ ଆଗତ ହେବା ପୂର୍ବରୁ ତରବରିଆ ନିଷ୍ପତ୍ତି ନେବାର କୌଣସି ଆବଶ୍ୟକତା ନାହିଁ ବୋଲି ଦଳ କହିଛି । ବିଜେଡି ସଂସଦୀୟ ଦଳ ବିଲ୍ ର ପ୍ରତ୍ୟେକ ବ୍ୟବସ୍ଥାକୁ ତର୍ଜମା କରିବ ।

ଏହାପରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଡିଲିମିଟେସନ୍ ପ୍ରକ୍ରିୟାରେ ଓଡ଼ିଶାର ରାଜନୈତିକ ସ୍ୱାର୍ଥ ଓ ସଂସଦରେ ରାଜ୍ୟର ଆନୁପାତିକ ପ୍ରତିନିଧିତ୍ୱ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା ଆବଶ୍ୟକ । ପ୍ରସ୍ତାବିତ ୫୦ ପ୍ରତିଶତ ଆସନ ବୃଦ୍ଧି ଫର୍ମୁଲା ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟରେ ସମାନ ଭାବେ ଲାଗୁ ହେବା ଉଚିତ ବୋଲି ବିଜେଡି କହିଛି ।

ତେବେ ଡିଲିମିଟେସନ୍ ବିଲ୍ କୁ ସମର୍ଥନ କରିବ କି ନାହିଁ, ସେନେଇ ବିଜେଡି ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ । ଓଡ଼ିଶାର ସ୍ୱାର୍ଥ ଓ ସଂସଦରେ ରାଜ୍ୟର ପ୍ରତିନିଧିତ୍ୱର ସୁରକ୍ଷା ହିଁ ଦଳର ନିଷ୍ପତ୍ତିର ମୁଖ୍ୟ ଆଧାର ହେବ । ଡିଲିମିଟେସନ୍ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲ୍ କୁ ନେଇ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଦଳର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ।

ad-week
Leave A Reply

Your email address will not be published.