ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଚଂଳ ସମେତ ବ୍ଲକର ବିଭିନ୍ନ ଗ୍ରାମରେ ଥିବା ଶୈବପୀଠ ଗୁଡ଼ିକରେ ମଙ୍ଗଳବାର ପ୍ରାତଃରୁ ଭକ୍ତଙ୍କ ଅସମ୍ଭବ ଭିଡ଼ ଲାଗି ରହିଛି । ହିଞ୍ଜିଳିକାଟୁ ପୌରାଚଂଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ଵର, ଅଙ୍କୋରଡ଼ାର କପିଳେଶ୍ଵର, ହିଞ୍ଜିଳିର ଷ୍ବପ୍ନେଶ୍ଵର, ନୂଆଁଗଡ଼ର ବାଲୁଙ୍କେଶ୍ବର, ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ମନ୍ଦିର ପରିସରସ୍ଥ ପଶ୍ଚିମାଭିମୂଖୀ କାଶିବିଶ୍ଵନାଥ, ହିଞ୍ଜିଳିକାଟୁ ବ୍ଳକ ନୂଆବୁରୁପଡ଼ା ଶ୍ୟାମଳାଇ ସ୍ଥିତ ମୁଦୁକେଶ୍ଵର, ସ୍ଥାନୀୟ ଥାନା ଅନ୍ତରିଗାଁ ସ୍ଥିତ ଗୁପ୍ତେଶ୍ଵର, ଆଡ଼ପଡ଼ା ଇଶାଣେଶ୍ବର ସମେତ ନିକଟବର୍ତୀ ଅଂଚଳର ବହୁ ଶୈବପୀଠ ଗୁଡ଼ିକରେ ଜାଗରଯାତ୍ରା ପାଇଁ ସକାଳୁ ମାଜଣା, ମଇଲମ, ସୂର୍ଯ୍ୟପୂଜା, ମଙ୍ଗଳ ଆଳତି ସହ ସମସ୍ତ ଦେବନୀତି ସମାପନ ପରେ ଭକ୍ତ ମାନଙ୍କୁ ଦେବ ଦେବ ମହାଦେବଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା ସକାଶେ ମନ୍ଦିର ଭିତରକୁ କୋଭିଡ କଟକଣା ଅନୁଯାୟୀ ପ୍ରବେଶ ସକାଶେ ଅନୁମତି ଦିଆଯାଇଥିଲା । ସମସ୍ତ ଶୈବପୀଠ ଗୁଡ଼ିକୁ ରଙ୍ଗବେରଙ୍ଗ ବାନା ସାଙ୍ଗକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା । ମନ୍ଦିର ପରିସରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିବା ଯୋଗୁଁ ମହାଦେବଙ୍କ ଦର୍ଶନ ସକାଶେ ମହିଳା ଓ ପୁରୁଷ ଭକ୍ତ ମାନଙ୍କୁ ଲମ୍ବା ଲାଇନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିବାର ଦେଖିବାକୁ ମିଳିଥିଲା । ସନ୍ଧ୍ୟା ସମୟରେ ଭକ୍ତ ମାନେ ଶୈବପୀଠ ପରିସରରେ ଦୀପଦାନ ସହ ଆସ୍ଥାନ ଜମାଇଥିଲେ । ଭକ୍ତଙ୍କ ହୁଳହୁଳି, ବାଦ୍ୟବାଜଣା ଧ୍ବନିରେ ମନ୍ଦର ପରିସର ପ୍ରକମ୍ପିତ ହୋଇଉଠିଥିଲା । ସନ୍ଧ୍ୟା ୬ଟା ୧୫ମିରେ ପ୍ରଥମ ପ୍ରହର, ରାତି ୯ଟା ୧୫ରେ ଦ୍ଵିତୀୟ ପ୍ରହର ପରେ ରାତ୍ରି ପ୍ରାୟ ସାଢେ ୧୧ ଟାରେ ହରଗୌରୀଙ୍କୁ ୩ ବେଢା ମନ୍ଦିର ପରିଭ୍ରମଣ ପରେ ମହାଦୀପକୁ ମନ୍ଦିର ଚୂଡ଼ାରେ ସ୍ଥାପନ କରାଯାଇଥିଲା । ଭକ୍ତଙ୍କ ଜାଗର ପାଳନ ଏବଂ ମନୋରଂଜନ ସକାଶେ ବିଭିନ୍ନ ଶୈବପୀଠ ନିକଟରେ ବିଭିନ୍ନ ରକମର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ସକାଶେ ମନ୍ଦିର ପ୍ରଶାସନ, ସ୍ଵେଚ୍ଛାସେବୀ ସଙ୍ଗଠନ ଏବଂ ହିଞ୍ଜିଳି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅନୁରୂପ ଭାବେ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତ୍ତୀ ଅଂଚଳ ସାରୁ ମକରଝୋଳ, କଂ ବୁରୁ, ସାପୁଆପଲ୍ଲୀ, ଦାରୁଭଦ୍ରା, ଦୁର୍ବନ୍ଧ, ଗୋଦରାପଲ୍ଲୀ, ସିକିରି, ରାଳବ, ନନ୍ଦିକ, ଧୋବାଡ଼ି, ବେଲଗାଁ ପ୍ରଭୃତି ଶୈବପୀଠ ଗୁଡ଼ିକରେ ମହା ଆଡ଼ମ୍ବର ସହକାରେ ଜାଗରଯାତ୍ରା ପାଳନ କରାଯାଇଛି ।
