ବାରବାଟୀରେ ଜୁନ୍‌ ୯ରେ ଭାରତ-ଦ.ଆଫ୍ରିକା T20

add-all

କଟକ: ବିସିସିଆଇ ତା’ର ପ୍ରତିଶ୍ରୁତି ରକ୍ଷାକରି କଟକର ବାରବାଟୀ ଷ୍ଟାଡିୟମ୍‌କୁ ଚଳିତ ଋତୁରେ ଏକ ଟ୍ବେଣ୍ଟି୨୦ ମ୍ୟାଚ୍‌ ପ୍ରଦାନ କରିଛି। ଜୁନ୍‌ ୯ରେ ବାରବାଟୀରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳାଯିବ ବୋଲି ବୁଧବାର ବିସିସିଆଇ ଘୋଷଣା କରିଛି। ଶୃଙ୍ଖଳାର ବାକି ୪ଟି ମ୍ୟାଚ୍‌ ବିଶାଖାପାଟଣା, ଦିଲ୍ଲୀ, ରାଜକୋଟ ଓ ​‌େ‌ଚନ୍ନଇରେ ଖେଳାଯିବ। ମେ’ ୨୯ରେ ଆଇପିଏଲ୍‌ ସମାପ୍ତି ପରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳ ୫ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବା ପାଇଁ ଭାରତ ଆସିବ। କଟକରେ ଜୁନ୍‌ ୯ରେ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଆରମ୍ଭ କରିବ।

ସୂଚନାଯୋଗ୍ୟ; ଫେବୃଆରୀ ୧୫ରେ ୱେଷ୍ଟଇଣ୍ଡିଜ୍‌-ଭାରତ ମଧ୍ୟରେ ଟ୍ବେଣ୍ଟି୨୦ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମ୍‌ରେ ଆୟୋଜନ ହେବ ବୋଲି ବିସିସିଆଇ ଘୋଷଣା କରିଥିଲା। ହେଲେ କରୋନା ସଂକ୍ରମଣ ଯୋଗୁଁ ଗୋଟିଏ ସ୍ଥାନରେ ମ୍ୟାଚ୍‌ ଆୟୋଜନ କରିବାର ନିଷ୍ପତ୍ତି ନେଇ ଏହାକୁ କଲକାତାକୁ ସ୍ଥାନାନ୍ତର କରା ଯାଇଥିଲା। ଏହାପରେ ବିସିସିଆଇ କର୍ତ୍ତୃପକ୍ଷଙ୍କ ସହ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ଆଲୋଚନା କରିଥିଲେ। ବାରବାଟୀରୁ ମ୍ୟାଚ୍‌ ପ୍ରତ୍ୟାହାର କରି ନେଇଥିବାରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଏକ ଟ୍ବେଣ୍ଟି୨୦ ମ୍ୟାଚ୍‌ ବାରବାଟୀକୁ ଦିଆଯିବ ବୋଲି ବିସିସିଆଇ ବସ୍‌ମାନେ ସଞ୍ଜୟଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ବିସିସିଆଇ କର୍ମକର୍ତ୍ତା ସେମାନଙ୍କ ପ୍ରତିଶ୍ରୁତି ରକ୍ଷାକରି କଟକକୁ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ମ୍ୟାଚ୍‌ ପ୍ରଦାନ କରିଛନ୍ତି। ଅଦ୍ୟାବଧି ବାରବାଟୀ ଷ୍ଟାଡିୟମ୍‌ରେ ୨ଟି ଟ୍ବେଣ୍ଟି୨୦ (ଭାରତ-ଦକ୍ଷିଣ ଆଫ୍ରିକା, ୨୦୧୫ ଓ ଭାରତ-ଶ୍ରୀଲଙ୍କା, ୨୦୧୭) ଆୟୋଜିତ ହୋଇଥିବା ବେଳେ ଜୁନ୍‌ ୯ର ମ୍ୟାଚ୍‌ ଏଠାରେ ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ହେବ।

ad-week
Leave A Reply

Your email address will not be published.