
ନୂଆଦିଲ୍ଲୀ: କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ ତଥା ଜି-୨୩ ନେତାଙ୍କ ମଧ୍ୟରେ ଥିବା ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ଆଜି ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ବୁଧବାର ଜି-୨୩ ଗୋଷ୍ଠୀଙ୍କ ବୈଠକ ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ଘରେ ବସିଥିଲା। ଏଥିରେ ହୁଡ୍ଡା ମଧ୍ୟ ଯୋଗଦେଇଥିଲେ।
ହେଲେ ବୈଠକରେ ଦିନକ ପରେ ହୁଡ୍ଡା ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟିବା ନୂଆ ଟ୍ୱିଷ୍ଟ ଆଣିଛି। ଉଭୟ ବେଶ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। କିନ୍ତୁ ଏହି ସମୟରେ କେଉଁ ପ୍ରସଙ୍ଗରେ କଥାବାର୍ତ୍ତା ହୋଇଛି ସେକଥା ଜଣାପଡ଼ିନି।
ମିଳିଥିବା ସୂଚନା ଅନୁସାରେ, ବୈଠକ ବେଳେ ଭୂପିନ୍ଦର ସିଂହ ହୁଡ୍ଡା ହରିଆଣାରେ କଂଗ୍ରେସର ସ୍ଥିତି ସମ୍ପର୍କରେ ରାହୁଲଙ୍କୁ ଅବଗତ କରାଇଛନ୍ତି। ସେହିପରି ରାଜ୍ୟରେ ଦଳ କେମିତି ଅଧିକ ସଶକ୍ତ ହୋଇପାରିବ, ସେ ବିଷୟରେ ମଧ୍ୟ ଉଭୟ ଆଲୋଚନା କରିଛନ୍ତି। ଏଥିସହ ଜି-୨୩ ନେତାମାନେ ଉଠାଉଥିବା ପ୍ରସ୍ତାବ ବାବଦରେ ହୁଡ୍ଡା ଆଲୋଚନା ବେଳେ ରାହୁଲ ଗାନ୍ଧିଙ୍କୁ ଅବଗତ କରାଇଥିଲେ। ରାହୁଲ ଜି-୨୩ ନେତାଙ୍କ ପ୍ରସ୍ତାବରେ ରାଜି ଥିବା ହୁଡ୍ଡାଙ୍କୁ କହିଥିବା ଜଣାପଡ଼ିଛି। ଏଥିସହ ସମସ୍ତେ ମିଳିତ ଭାବେ ପ୍ରସ୍ତାବ ଗୁଡ଼ିକ କାର୍ଯ୍ୟକାରୀ କରିବା ସପକ୍ଷରେ ବି ରାହୁଲ ମତ ରଖିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ହରିଆଣା କଂଗ୍ରେସ ମୁଖ୍ୟ ଭାବେ ଭୂପିନ୍ଦର କିମ୍ବା ତାଙ୍କ ପୁଅ ଦୀପିନ୍ଦରଙ୍କୁ ଚୟନ କରାଯାଇ ନାହିଁ। ଏହାକୁ ନେଇ ଭୂପିନ୍ଦର ହୁଡ୍ଡା କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ଖପ୍ପା ହୋଇଥିଲେ। ହରିଆଣା କଂଗ୍ରେସ ମୁଖ୍ୟ ଭାବେ କାମ କରୁଥିବା ସେଲଜା କୁମାରୀ ଗାନ୍ଧି ପରିବାରର ଅତ୍ୟନ୍ତ ଘନିଷ୍ଠ। ତେବେ ସେଲଜାଙ୍କ ସହ ହୁଡ୍ଡାଙ୍କ ତିକ୍ତତା ଲାଗି ରହିଛି। ଆଗକୁ ହରିଆଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ହୁଡ୍ଡା ଆଜି ରାହୁଲ ଗାନ୍ଧିଙ୍କୁ ଭେଟି ଲବି ଆରମ୍ଭ କରିଦେଇଛନ୍ତି। ଏବେ କଂଗ୍ରେସ କେମିତି ହରିଆଣା ସ୍ଥିତିକୁ ହ୍ୟାଣ୍ଡେଲ କରୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।
ସୂଚନାଯୋଗ୍ୟ, ବୁଧବାର କଂଗ୍ରେସର ୧୮ ଜଣିଆ ବିଦ୍ରୋହୀ ଗୋଷ୍ଠୀ ଗୁଲାମ ନବୀ ଆଜାଦଙ୍କ ଘରେ ବୈଠକ କରିଥିଲେ। ଏହି ବିଦ୍ରୋହୀ ଗୋଷ୍ଠୀରେ ପ୍ରଥମଥର ପାଇଁ ଶଶି ଥରୁର ସାମିଲ ହୋଇଥିଲେ। ଏମାନେ ସମସ୍ତେ ଦଳରେ ବିଭାଜନ ସୃଷ୍ଟି କରିବା କୌଣସି ଉଦ୍ଦେଶ୍ୟ ନୁହେଁ ବରଂ କଂଗ୍ରେସର ବଡ଼ବଡ଼ ପଦବୀରେ ଥିବା ଗାନ୍ଧି ପରିବାରର ଅନୁଗତମାନଙ୍କୁ ହଟାଯିବା ଉଚିତ ବୋଲି ମତ ଦେଇଛନ୍ତି। ଦଳ ପୁନର୍ଗଠନ ପାଇଁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଜି-୨୩ ନେତା ପ୍ରସ୍ତାବ ଦେବେ ବୋଲି ବୈଠକରେ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।