ରୁଷରୁ ୩୦ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ କରିବ ଆଇଓସିଏଲ୍

add-all

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ରୁଷର ଏକ ତୈଳ କମ୍ପାନି ସହିତ ୩ ମିଲିୟନ୍ ବ୍ୟାରେଲ୍ ଅଶୋଧିତ ତୈଳ ଆମଦାନୀ ପାଇଁ ଚୁକ୍ତି କରିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏଥିପାଇଁ ଦୁଇ କମ୍ପାନି ମଧ୍ୟରେ ସିଧାସଳଖ ଆଲୋଚନା ହୋଇଥିବା ବେଳେ ବର୍ତ୍ତମାନ ଏହି ଚୁକ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆନ୍ତର୍ଜାତୀୟ ବଜାରରେ ଭାରତ ପାଇଁ ଉପଲବ୍ଧ ସର୍ବୋତ୍ତମ ନିୟମ ଏବଂ ସର୍ତ୍ତ ଆଧାରରେ ରୁଷ ସହିତ ଏହି ଚୁକ୍ତି କରାଯାଇଛି।
ୟୁକ୍ରେନ ଉପରେ ମସ୍କୋର ଆକ୍ରମଣର ଜବାବରେ ରୁଷରୁ ତୈଳ ଆମଦାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇବା ସମେତ ପାଶ୍ଚାତ୍ୟ ଦେଶଗୁଡିକ ରୁଷ ଉପରେ କଟକଣା ଲଗାଇଛନ୍ତି। ହେଲେ ରୁଷରୁ ତୈଳ ଆମଦାନୀ ପାଇଁ ଭାରତ ‌ପକ୍ଷରୁ କ‌ୌଣସି ପ୍ରତିବନ୍ଧକ ଲଗାଯାଇନାହିଁ। ଆମେରିକା ଏବଂ ଅନ୍ୟ ପାଶ୍ଚାତ୍ୟ ଦେଶ ରୁଷ ଉପରେ ପ୍ରତିବନ୍ଧକ ଲଗାଇବା ମାତ୍ରେ ରୁଷ ଭାରତ ସମେତ ଅନ୍ୟାନ୍ୟ ବଡ ଆମଦାନୀକାରୀଙ୍କୁ ରିହାତି ମୂଲ୍ୟରେ ତୈଳ ଦେବା ଆରମ୍ଭ କରିଛି।
ବର୍ତ୍ତମାନ ଆହୁରି ଅଧିକ ଭାରତୀୟ ତୈଳ କମ୍ପାନି ଅଶୋଧିତ ତୈଳ ଆମଦାନୀ ପାଇଁ ରୁଷର ତୈଳ କମ୍ପାନିଗୁଡିକ ସହିତ ଚୁକ୍ତି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରୁଷର ଆକ୍ରମଣ ପରେ ବିଶ୍ୱ ବଜାରରେ ତୈଳ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି, ଯାହାର ପ୍ରଭାବ ଲୋକଙ୍କ ପକେଟରେ ପଡ଼ୁଛି। ହେଲେ ଭାରତରେ ତୈଳ ଦର ବୃଦ୍ଧିକୁ ରୋକିବା ପାଇଁ ସରକାର ରିହାତି ଦରରେ ରୁଷରୁ ତୈଳ କିଣୁଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.