ଅପରାଧୀଙ୍କୁ ଧରାଇଦେଲେ ମିଳିବ ପୁରସ୍କାର; ୱାଣ୍ଟେଡ୍ ଘୋଷଣା କଲା ପୁଲିସ

add-all

କଟକ: ଚହଟା ନଗର ଅଞ୍ଚଳରେ ଗୋଟିଏ ରାତିରେ ସିରିଜ୍ ଲୁଟ୍ ଘଟଣାର ୧୫ ଦିନ ପରେ କମିସନରେଟ୍ ପୁଲିସ ନିଜର ଅସହାୟତା ପ୍ରକାଶ କରିଛି। ସିସି କ୍ୟାମେରାରେ ଚିହ୍ନଟ ୪ ଦୁର୍ବୃତ୍ତଙ୍କୁ ଠାବ ନକରି ପାରିଥିବାରୁ ଜନସାଧାରଣଙ୍କ ସହାୟତା ଲୋଡ଼ିଛି ପୁଲିସ। ଏହି ଦୁର୍ବୃତ୍ତଙ୍କୁ ଧରାଇଦେବା ପାଇଁ କେହି ଜନସାଧାରଣ ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ପୁଲିସ ପକ୍ଷରୁ ଉପଯୁକ୍ତ ପୁରସ୍କାର ପ୍ରଦାନ କରାଯିବ।

ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ସୁରକ୍ଷା ଦୃଷ୍ଟିରୁ ବି ଗୋପନ ରଖାଯିବାକୁ ପ୍ରତିଶ୍ରୁତି ଦିଆଯାଇଛି। ଏହାବାଦ୍ ପୁଲିସ ଏହି ଦୁର୍ବୃତ୍ତଙ୍କୁ ଓାଣ୍ଟେଡ୍ ଘୋଷଣା କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଚହଟା ନଗର ଲେନ୍ ନମ୍ବର ୧ ଓ ୩ରେ ଗଲା ୮ ତାରିଖ ବିଳମ୍ବିତ ରାତିରେ ତିନି ଜଣଙ୍କ ଘରୁ ପାଖାପାଖି ୧୧ ଲକ୍ଷ ଟଙ୍କା ଲୁଟି ନେଇଥିଲେ ୪ ଜଣିଆ ଲୁଟେରା ଦଳ। ଲେନ୍ ୧ରେ ଥିବା ସୁବାସ ଦାସଙ୍କ ଘରୁ ଲୁଟ୍ ପୂର୍ବରୁ ଘର ପଛପଟେ ଲାଗିଥିବା ସିସି କ୍ୟାମେରାକୁ ବୁଲାଇ ଦେଇଥିଲେ। ପୁଲିସ ଏହି ଫୁଟେଜ ଜବତ କରିଥିବା ବେଳେ ଦୁର୍ବୃତ୍ତମାନେ ରାତି ପ୍ରାୟ ୨ଟା ୨୭ ମିିନିଟ୍ ୫୧ ସେକେଣ୍ଡରେ ସୁବାସଙ୍କ ଘରକୁ ଆସିଥିବା ସିସି କ୍ୟାମେରାରୁ ଜଣା ପଡ଼ିଛି। କ୍ୟାମେରାର ମୁହଁ ବୁଲାଇଥିବା ଦୁର୍ବୃତ୍ତ ଫୁଲ୍ ପ୍ୟାଣ୍ଟ ଓ ଫୁଲ୍ ସାର୍ଟ ପିନ୍ଧିବା ସହିତ ଏକ ଟୋପି ପିନ୍ଧିଥିଲା। ପିଠିରେ ଏକ ଏୟାର ବ୍ୟାଗ୍ ବି ପକାଇଥିବା ଦେଖିବାକୁ ମିଳିଛି। ଆଉ ଜଣେ ଟୋପି ପିନ୍ଧିବା ସହିତ ଏୟାର ବ୍ୟାଗ୍ ପକାଇଥିବା ଦୁର୍ବୃତ୍ତ ଶେଷରେ ଆସି ସୁବାସଙ୍କ ଘର ପଛପଟେ ପହଞ୍ଚିଥିଲା। ଦୁଇ ଜଣ ଟୋପି ପିନ୍ଧି ନାହାନ୍ତି। ଟୋପି ପିନ୍ଧିନଥିବା ଜଣେ ଦୁର୍ବୃତ୍ତ ସ୍କ୍ରୁଡାଇଭରରେ ମାତ୍ର ଗୋଟିଏ ମିନିଟ୍ ଭିତରେ ଝରକା ଖୋଲି ଦେଉଥିବା ସିସି କ୍ୟାମେରାରେ ରେକର୍ଡ ହୋଇଛି। ତେବେ ୮ ତାରିଖରେ ଘଟିଥିବା ଏହି ସିରିଜ୍ ଲୁଟରେ ତିନି ଜଣ ଶିକାର ହୋଇଥିବା ବେଳେ ବିଡାନାସୀ ଥାନା ପୁଲିସ ହାତରେ କେବଳ ଦୁର୍ବୃତ୍ତଙ୍କ ଫଟୋ ଛଡ଼ା ଅନ୍ୟ କୌଣସି ପ୍ରକାର ସୁରାକ୍ ମିଳିପାରି ନାହିଁ।

ଏହି ଫୁଟେଜ୍ ଏବେ ସୋସିଆଲ୍ ମିଡିଆର ପ୍ରବଳ ମାତ୍ରାରେ ଭାଇରାଲ୍ ହେବାର ଲାଗିଛି। ଏମାନେ ସତୀଚଉରା ଛକ ନିକଟ ଇମାମପଡ଼ା ବସ୍ତି କିମ୍ବା କୃଷକ ବଜାର ବସ୍ତି ଅଞ୍ଚଳର ହୋଇପାରନ୍ତି ବୋଲି ପୁଲିସ ଓ ସ୍ଥାନୀୟ ବାସିନ୍ଦା ସନ୍ଦେହ କରୁଛନ୍ତି। ଏହି ଦୁଇଟି ବସ୍ତିରେ ପୁଲିସ ଚଢ଼ଉ କରିସାରିଥିଲା ବେଳେ ଏମାନଙ୍କ ପତ୍ତା ମିଳିପାରୁନାହିଁ। ଆଜି ଡିସିପି ଅଫିସ ଏହି ଦୁର୍ବୃତ୍ତମାନଙ୍କୁ ଓାଣ୍ଟେଡ୍ ଦର୍ଶାଇଛି। ଜନସାଧାରଣ ଏମାନଙ୍କ ସମ୍ପର୍କରେ ସୂଚନା ଦେବାକୁ ଜୋନ୍-୩ ଏସିପିଙ୍କ ଯୋଗାଯୋଗ ନମ୍ବର ୯୯୩୭୧୭୫୪୫୫ ଏବଂ ବିଡାନାସୀ ଥାନା ଆଇଆଇସିଙ୍କ ନମ୍ବର ୯୪୩୯୦୦୭୯୮୫ ଜାରି କରାଯାଉଛି। ଏହି ଦୁଇଟି ନମ୍ବରରେ ଜନସାଧାରଣ ସୂଚନା ଦେବାକୁ ଡିସିପି ଅଫିସ ପକ୍ଷରୁ କୁହାଯାଇଛି। ୮ ତାରିଖ ରାତି ଗୋଟାଏରୁ ୩ ଟା ପର୍ଯ୍ୟନ୍ତ ଚହଟା ନଗର ଲେନ୍ ନଂ ୧ରୁ ୩ ଅଞ୍ଚଳର ଟାୱାର୍ ଡମ୍ପ ମଗାଯାଇଛି। ଏହି ସମୟ ଭିତରେ ଯେଉଁ ମୋବାଇଲ୍ ନମ୍ବର ଚହଟା ନଗରରେ ଥିବା ମୋବାଇଲ୍ ଟାୱାର ଭିତରକୁ ଆସି ପୁଣି ବାହାରକୁ ଯାଇଛି ପୁଲିସ ସେମାନଙ୍କୁ ପ୍ରଥମେ ସ୍କାନରକୁ ଆଣିଛି। ଏହି ସନ୍ଦିଗ୍ଧଙ୍କ ନମ୍ବର ଭିତରେ ୪ ଦୁର୍ବୃତ୍ତଙ୍କ ମୋବାଇଲ୍ ନମ୍ବର ଥିବା କୁହାଯାଉଛି। ଚହଟା ନଗରକୁ ଏହି ୪ଟି ନମ୍ବର ଆସିବା ପରେ ପୁଣି ଯେଉଁଆଡ଼େ ଯାଇଛି ପୁଲିସ ତାର ପିଛା କରୁଛି। ଏହି ନମ୍ବର ଗୁଡ଼ିକ ହିଁ ସେଦିନ ରାତିରେ ଆସିଥିବା ୪ ଦୁର୍ବୃତ୍ତଙ୍କର ବୋଲି ଜଣାପଡ଼ିଛି। ଏମାନେ କଟକ ବାହାରକୁ ଚାଲିଯାଇଥିବା ସନ୍ଦେହ କରାଯାଉଛି।

ad-week
Leave A Reply

Your email address will not be published.