ଭୁବନେଶ୍ୱର,୨୩/୩ : ପୌର ନିର୍ବାଚନରେ ଭୋଟିଂକୁ ଅବାଧ ଓ ହିଂସାମୁକ୍ତ କରିବାକୁ କମିଶନରେଟ୍ ପୁଲିସ ରିଜର୍ଭ ଗ୍ରାଉଣ୍ଡରେ ପ୍ରସ୍ତୁତି ସରିଯାଇଛି । ସେଠାରେ ସମସ୍ତ ପୁଲିସ ଅଧିକାରୀଙ୍କୁ ନେଇ ରିହାଲର୍ସଲ କରାଯାଇଛି । ପ୍ରାୟ ୫୦ ପ୍ଲାଟୁନ୍ ଫୋର୍ସ ଓ ୧୫୦ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ପୁଲିସ ସୂଚନା ଦେଇଛି ।
ଡିସିପି ଉମାଶଙ୍କର ଦାଶ କହିଛନ୍ତି, ନିର୍ବାଚନକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ୟୁପିଡିର ପୁଲିସ ଅଧିକାରୀ ଓ ପୁଲିସ କର୍ମଚାରୀମାନଙ୍କୁ ଦାୟିତ୍ୱ ବଣ୍ଟାଯାଇଥିଲା । ନିର୍ବାଚନରେ ବେଳେ ଡ୍ୟୁଟିର ରିହାଲର୍ସାଲ କରାଯାଇଥିଲା । ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀ ନିଜ ନିଜ ଅଞ୍ଚଳର ସୁରକ୍ଷା ଦାୟିତ୍ୱ ସମ୍ଭାଳିଛନ୍ତି । ବାହାରୁ ପ୍ରାୟ ୫୦ ପ୍ଲାଟୁନ ସଶସ୍ତ୍ର ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ପ୍ରାୟ ୧୫୦ ଅଧିକାରୀ ନିୟୋଜିତ ହୋଇଛନ୍ତି । ମୋଟ ୫୫ଟି ମୋବାଇଲ୍ ପାର୍ଟି ମୁତୟନ କରାଯାଇଛି । ଏଥିରୁ ବିଏମ୍ସିର ୭୦୫ଟି ବୁଥ୍ ପାଇଁ ୪୯ଟି ପାଟ୍ରୋଲିଂ ପାର୍ଟି ରହିଛି । ଜଟଣୀ ମୁନସିପାଲ ପାଇଁ ୬ଟି ପାର୍ଟି ଦିଆଯାଇଛି । ପୁଲିସ ସୂଚନା ମୁତାବକ, ବିଏମ୍ସିର ୬୭ ୱାର୍ଡରେ ଥିବା ମୋଟ ୭୦୫ଟି ବୁଥ୍ରୁ ୩୭୫ଟି ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଥିଲା । ବର୍ତ୍ତମାନ ଏହି ବୁଥ୍ ସଂଖ୍ୟା ୪୦୦ ଟପିଛି । ଯେଉଁଠି ଭୋଟ ଦିନ ପୁଲିସର କଡ଼ା ପହରା ରହିବ । ଏହାବାଦ୍ ୧୨୮ଟି କ୍ଲଷ୍ଟର ବୁଥ୍ରେ ମଧ୍ୟ ବନ୍ଧୁକଧାରୀ ସୁରକ୍ଷାକର୍ମୀ ଜଗିବେ ।
ବୁଲିବ ୫୫ ମୋବାଇଲ ଭ୍ୟାନ୍
ଗୁରୁବାର ଭୋଟ୍ଗ୍ରହଣ ଦିନ ୫୫ଟି ମୋବାଇଲ୍ ଭ୍ୟାନ୍ ବୁଲିବ । ଏଥିରେ ନିର୍ବାଚନ ଅଧିକାରୀଙ୍କ ଟିମ୍ ଓ ପୁଲିସ ଟିମ୍ ରହି ଆଇନଶୃଙ୍ଖଳା ସ୍ଥିତି ଉପରେ ନଜର ରଖିବେ । ସେହିଭଳି ସମ୍ବେଦନଶୀଳ ଚିହ୍ନଟ ହୋଇଥିବା ଅଞ୍ଚଳକୁ ନେଇ ୧୨୮ଟି କ୍ଲଷ୍ଟର କରାଯାଇଛି । ଏଠାରେ ଅଧିକ ସଂଖ୍ୟାରେ ପୁଲିସ ମୃତୟନ କରାଯିବ । ପ୍ରତି ବୁଥ୍କୁ ଜଣେ କନେଷ୍ଟବଳ ଜଗିବେ ।
ଆଜି ବୁଥ୍କୁ ଯିବ ଇଭିଏମ୍
ବିଜେବି କଲେଜ ଷ୍ଟଙ୍ଗରୁମ୍ରେ କଡ଼ା ସୁରକ୍ଷା ଭିତରେ ଥିବା ଇଭିଏମ୍ ଆଜି ସମସ୍ତ ବୁଥ୍କୁ ଯିବ । ସକାଳ ୭ଟାରେ ପୁଲିଂ ପାର୍ଟି ବିଜେବି କଲେଜ ପରିସରରେ ପହଞ୍ଚିବେ । ପୁଲିଂ ଅଧିକାରୀମାନେ ଇଭିଏମ୍ ଓ ନିର୍ବାଚନରେ ଆବଶ୍ୟକ ଅନ୍ୟ ସାମଗ୍ରୀ ସାଙ୍ଗରେ ନେଇ ବାହାରିବେ । ୨୪ ତାରିଖ ସକାଳ ୭ଟାରେ ସମସ୍ତ ଏଜେଣ୍ଟଙ୍କ ଉପସ୍ଥିତିରେ ମକ୍ ପୋଲିଂ ହେବ ।
