ଝିଅର ମୃତଦେହକୁ କାନ୍ଧେଇ ୧୦ କି.ମି. ଚାଲିଲେ ବାପା, ଭିଡିଓ ଭାଇରାଲ୍‌

add-all

ଅମ୍ବିକାପୁର: ଛତିଶଗଡ଼ର ସୁରୁଗୁଜା ଜିଲ୍ଲାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ବ୍ୟକ୍ତି ତାଙ୍କ ୭ ବର୍ଷୀୟା ଝିଅର ମୃତଦେହକୁ କାନ୍ଧରେ ବୋହି ବୋହି ନେଉଥିବାର ଦୃଶ୍ୟ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ଟିଏସ୍‌ ସିଂହଦେଓ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଜିଲ୍ଲାର ଲକ୍ଷନପୁର ଗ୍ରାମରେ ଥିବା କମୁନିଟି ହେଲ୍‌ଥ ସେଣ୍ଟର୍‌ରେ ଶୁକ୍ରବାର ସକାଳୁ ଝିଅଟିର ମୃତ୍ୟୁ ହୋଇଥିଲା। ତାଙ୍କ ମୃତଦେହ ଯିବା ପାଇଁ ଗାଡ଼ି ଆସି ପହଞ୍ଚିବା ପୂର୍ବରୁ ଝିଅଟିର ବାପା ତା’ର ମୃତଦେହକୁ ଧରି କାନ୍ଧେଇ କାନ୍ଧେଇ ସେଠାରୁ ଚାଲି ଯାଇଥିଲେ।
ଜାଣିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ହେଉଛନ୍ତି ଆମ୍‌ଦାଲା ଗ୍ରାମର ଈଶ୍ବର ଦାସ। ସେ ତାଙ୍କ ଝିଅ ସୁରେଖାଙ୍କ ଚିକିତ୍ସା ପାଇଁ ତାଙ୍କୁ ଲକ୍ଷନପୁର କମୁନିଟି ହେଲ୍‌ଥ ସେଣ୍ଟର୍‌କୁ ନେଇ ଯାଇଥିଲେ। ଝିଅଟିର ଅମ୍ଳଜାନ ସ୍ତର ଖୁବ୍‌ କମ୍‌(୬୦) ରହିଥିଲା। ଝିଅଟିର ବାପାମାଆଙ୍କ କହିବାନୁଯାୟୀ ଗତ କିଛି ଦିନ ହେବ ଖୁବ୍‌ ଜୋର୍‌ ଜ୍ବରରେ ପୀଡ଼ିତ ହୋଇଥିଲେ ସୁରେଖା।

ତେବେ ଡାକ୍ତରମାନଙ୍କ କହିବାନୁଯାୟୀ ଆବଶ୍ୟକୀୟ ଚିକିତ୍ସା କରାଯିବା ପରେ ମଧ୍ୟ ସୁରେଖାଙ୍କୁ ବଞ୍ଚାଇ ଯାଇପାରିଲାନି। ଭିଡିଓରେ ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣଙ୍କ ତାଙ୍କ ଝିଅର ମୃତଦେହକୁ ଧରି ଚାଲି ଚାଲି ଯାଉଛନ୍ତି। ବ୍ୟକ୍ତି ଜଣକ ନିଜ ଗାଁରେ ପହଞ୍ଚିବା ପାଇଁ ପ୍ରାୟ ୧୦ କିଲୋମିଟର ବାଟ ଝିଅର ମୃତଦେହକୁ କାନ୍ଧେଇ ଯାଇଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.