
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ବିଏସ୍ପି ମାତ୍ର ଗୋଟିଏ ଆସନ ଜିତିବାକୁ ସକ୍ଷମ ହୋଇଥିଲା। ଏହି ବିପର୍ଯ୍ୟୟ ପରେ ଏବେ ଦଳ ତା’ର ୩ ପଦ ଛାଡ଼ି ତା’ର କାର୍ଯ୍ୟନିର୍ବାହୀ ସଂସ୍ଥାକୁ ଭାଙ୍ଗି ଦେଇଛି। ଏହାର ଅର୍ଥ ବିଏସପି ତା’ର କାର୍ଯ୍ୟନିର୍ବାହୀ ସଂସ୍ଥାର ପୁର୍ନଗଠନ କରିବ।
ଦଳ କେବଳ ରାଜ୍ୟ ସଭାପତି, ବିଧାନସଭା ବାଚସ୍ପତି ଓ ଜିଲ୍ଲା ସଭାପତି ପଦ ପୂର୍ବଭଳି କାଏମ ରଖିଛି। ଦଳ ପକ୍ଷରୁ ୩ ଜଣ ମୁଖ୍ୟ ସଂଯୋଜକଙ୍କ ନାଁ ଘୋଷଣା କରାଯାଇଛି। ଏମାନେ ରାଜ୍ୟର ଇନଚାର୍ଜ ଦାୟିତ୍ୱ ମଧ୍ୟ ସମ୍ପାଦନ କରିବେ। ଏହି ୩ ନେତା ହେଲେ ମୀରଟର ମୁକଣ୍ଡ ଅଲୀ, ବୁଲନ୍ଦଶହରର ରାଜକୁମାର ଗୌତମ ଓ ଆଜମଗଡ଼ରୁ ବିଜୟ କୁମାର।
ଆଜି ଦଳ ପକ୍ଷରୁ ଲକ୍ଷ୍ନୌରେ ବିଧାନସଭା ନିର୍ବାଚନରେ ବିପର୍ଯ୍ୟୟ ପଛର କାରଣ ଜାଣିବା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ସମୟରେ ବିଭିନ୍ନ ପ୍ରସଙ୍ଗ ଉପରେ ମାନସମନ୍ଥନ କରାଯାଇଛି। ବୈଠକ ବର୍ତ୍ତମାନ ବି ଚାଲିଛି। ବୈଠକ ପରେ ସାଂଗଠନିକ ସ୍ତରରେ ନୂଆ ଚେହେରାମାନଙ୍କୁ ସାମିଲ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।
୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଏସ୍ପି ଏବେ ଠାରୁ ତା’ର ସାଂଗଠନିତକ ସ୍ଥିତିକୁ ମଜବୁତ କରିବାକୁ ଚାହୁଁଛି। ଏଥିପାଇଁ ଦଳ ୩ ପଦବୀକୁ ଛାଡ଼ି ବାକି ସବୁ କିଛିକୁ ଭାଙ୍ଗି ଦେଇଥିବା କୁହାଯାଉଛି।