
ଇସ୍ଲାମାବାଦ: ଶନିବାର ବିଳମ୍ବିତ ରାତିରେ ପାକିସ୍ତାନରେ ଦୀର୍ଘ ଦିନର ରାଜନୈତିକ ଅସ୍ଥିରତା ପରେ ଇମ୍ରାନ ସରକାରର ପତନ ଘଟିଥିଲା। ଅନାସ୍ଥା ଭୋଟ୍ରେ ଇମ୍ରାନ୍ ଖାନ୍ ପରାଜୟ ବରଣ କରିବା ସହିତ ଦେଶର ପ୍ରଧାନମନ୍ତ୍ରୀ ପଦରୁ ତାଙ୍କୁ ବହିଷ୍କୃତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ପଦ ହରାଇବା ପରେ ଏବେ ଇମ୍ରାନ ଖାନଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଟ୍ବିଟ କରି ସ୍ୱାଧୀନତା ସଂଗ୍ରାମ ପୁଣି ଥରେ ଆରମ୍ଭ ହୋଇଛି ବୋଲି ଲେଖିଛନ୍ତି ଇମ୍ରାନ ଖାନ୍।
ଇମ୍ରାନ ଖାନ ଟ୍ୱିଟ କରି ଲେଖିଛନ୍ତି ଯେ, ୧୯୪୭ ମସିହାରେ ପାକିସ୍ତାନ ସ୍ବାଧୀନ ହୋଇଥିଲା। କିନ୍ତୁ ଆଜି କ୍ଷମତା ବଦଳାଇବା ପାଇଁ କରାଯାଇଥିବା ବିଦେଶୀ ଷଡଯନ୍ତ୍ର ବିରୋଧରେ ପାକିସ୍ତାନରେ ପୁଣି ଥରେ ସ୍ବାଧୀନତା ସଂଗ୍ରାମ ଆରମ୍ଭ ହୋଇଛି। ପାକିସ୍ତାନବାସୀ ସବୁବେଳେ ଦେଶର ସାର୍ବଭୌମତ୍ୱ ଏବଂ ଗଣତନ୍ତ୍ରର ସୁରକ୍ଷା କରିଆସିଛନ୍ତି, ଆଗକୁ ମଧ୍ୟ କରିବେ।
ତେବେ ଇମ୍ରାନ ଖାନ ସରକାରର ପତନ ହେବା ପରେ ଏବେ ନୂଆ ସରକାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଇମ୍ରାନଙ୍କୁ ବହିଷ୍କୃତ କରାଯିବା ପରେ ଆସନ୍ତାକାଲି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ବଛାଯିବ। ବିରୋଧୀ ଦଳରୁ ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିବାବେଳେ ଶାହ ମହମ୍ମଦ କୁରେଶୀ ଇମ୍ରାନ ଖାନଙ୍କ ଦଳ ପିଟିଆଇରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପୂର୍ବରୁ ଶେହବାଜ ଶରିଫ କହିଛନ୍ତି ଯେ ସେ ଭାରତ ସହ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି। ହେଲେ କଶ୍ମୀର ସମସ୍ୟାର ସମାଧାନ ବିନା ଏହା ସମ୍ଭବ ନୁହେଁ। ଇସଲାମାବାଦରେ ଜିଓ ନ୍ୟୁଜକୁ ସାକ୍ଷାତକାର ଦେଇ ଶେହବାଜ ଶରିଫ କହିଛନ୍ତି, କ୍ଷମତାକୁ ଆସିବା ପରେ ତାଙ୍କର ପ୍ରଥମ ପ୍ରାଥମିକତା ହେଉଛି ଜାତୀୟ ସୌହାର୍ଦ୍ଦ୍ୟ ଏବଂ ବିରୋଧୀଦଳର ନେତାଙ୍କ ପରାମର୍ଶ କ୍ରମେ ଏକ ନୂତନ କ୍ୟାବିନେଟ ଗଠନ କରିବା। ଏହା ପରେ ସେ ଦେଶର ଅର୍ଥନୀତିରେ ଉନ୍ନତି ଆଣି ଲୋକଙ୍କୁ ଚିନ୍ତାମୁକ୍ତ କରିବାକୁ ଚେଷ୍ଟା କରିବେ, ଯାହା ଦ୍ବାରା ଦେଶରେ ଏକ ନୂତନ ଯୁଗ ଆରମ୍ଭ ହେବ ଏବଂ ପାରସ୍ପରିକ ସମ୍ମାନ ବୃଦ୍ଧି ପାଇବ।