ଦଙ୍ଗାକୁ ସାମ୍ନା କରି ୧୫ ଜଣଙ୍କ ଜୀବନ ବଞ୍ଚାଇଲେ ମହିଳା

add-all

ନୂଆଦିଲ୍ଲୀ : ରାଜସ୍ଥାନର କରୌଲିରେ ଦଙ୍ଗା ବେଳେ ଜଣେ ବିଧବା ମହିଳା ବିପଦକୁ ସାମ୍ନା କରି ପ୍ରାୟ ୧୫ ଜଣଙ୍କ ଜୀବନ ବଞ୍ଚାଇଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ମୁସଲିମ୍ ବ୍ୟକ୍ତି। ସେମାନଙ୍କୁ ଦଙ୍ଗାକାରୀ ଆକ୍ରମଣ କରିବାକୁ ଆସୁଥିଲେ। ଏହି ମହିଳା ଜଣକ ୪୮ ବର୍ଷିୟ ମଧୁଲିକା ସିଂ। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସ୍ୱାମୀ ଚାଲି ଯିବାପରେ ସେ ତାଙ୍କ ୨ ସନ୍ତାନଙ୍କୁ ନେଇ ଏଠାରେ ପ୍ରାୟ ୫ ବର୍ଷ ହେବ ପୋଷାକ ଦୋକାନ କରି ରହି ଅସୁଛନ୍ତି। ଦଙ୍ଗାକାରୀଙ୍କୁ ସେ ଏକାକୀ ସାମ୍ନା କରି ୧୫ ଜଣଙ୍କୁ ତାଙ୍କ ଦୋକାନ ଉପର ମହଲା ଘରେ ରହିବାର ସୁଯୋଗ ଦେଇଥିଲେ। ଘଟଣାଟି ଚଳିତ ମାସ ୨ ତାରିଖରେ ଘଟିଥିଲା।
ସୂଚନା ମୁତାବକ, ହିନ୍ଦୁ ନୂଆବର୍ଷ ଅବସରରେ ନବ ମହୋତ୍ସବ ପାଳନ ଶୋଭାଯାତ୍ରା ଏହି ବଜାର ଦେଇ ଯିବାର ମାତ୍ର କିଛି ସମୟ ପରେ ଏହି ଲୋକେ ଦୌଡି ଆସି ତାଙ୍କ ଦୋକାନ ଭିତରେ ପଶିଯାଇଥିଲେ। ପରେ ଜଣାପଡ଼ିଥିଲା ଶୋଭାଯାତ୍ରା ସର୍ବାଧିକ ମୁସଲିମ୍ ସମୁଦାୟ ରହୁଥିବା ଏକ ଅଞ୍ଚଳ ଦେଇ ଯିବା ବେଳେ ହିଁ ଦଙ୍ଗା ରୂପ ନେଇଥିଲା। ଦଙ୍ଗାରୁ ସୁରକ୍ଷା ନିମନ୍ତେ ଏହି ଲୋକମାନେ ମହିଳାଙ୍କ ଶରଣ ନେଇଥିଲେ।
ପୋଲିସ ସୂଚନା ମୁତାବକ, ଶୋଭାଯାତ୍ରାରେ ଡାକବାଜି ଜରିଆରେ ଦିଆଯାଉଥିବା ସମ୍ବେଦନଶୀଳ ସ୍ଲୋଗାନ ଦଙ୍ଗା ଓ ଟେକାପଥର ମାଡ଼ର ମୁଖ୍ୟ କାରଣ ହୋଇଥିଲା।
ମଧୁଲିକା କହିଛନ୍ତି, ଲୋକେ ସଟର ପକାଇ ଦେଉଥିବା ଶୁଣି ସେ କ’ଣ ହୋଇଛି ବୋଲି ଦେଖିବାକୁ ବାହାରକୁ ବାହାରିଥିଲେ। ଏହି ସମୟରେ କିଛି ଲୋକ ଅନେକ ଦୋକାନରେ ନିଆଁ ଲଗାଇ ଦେଇଥିଲେ। ଯାହା ପରେ ଦଙ୍ଗା ଉଗ୍ରରୂପ ନେଇଥିଲା। ଏହି ସମୟରେ କିଛି ବ୍ୟକ୍ତି ଦୌଡି ଆସି ଦଙ୍ଗା କବଳରୁ ସୁରକ୍ଷା ମାଗିଥିଲେ। ସେ ସେମାନଙ୍କୁ ମାନବିକତା ସହ ଆଶ୍ୱାସନା ଦେଇଥିଲେ। ଦୋକାନ ରହିଥିବା କମ୍ଲେକ୍ସର ଉପର ମହଲାରେ ଥିବା ତାଙ୍କ ଘରେ ଶରଣ ଦେଇଥିଲେ। ଏଥିସହ ବିଶୃଙ୍ଖଳା ଘଟାଇ ଚାଲିଥିବା ଲୋକଙ୍କୁ ସେ ଏକାକୀ ରୋକିବାକୁ ଆସିଯାଇଥିଲେ। ମହିଳାଙ୍କ ଘରେ ରହିବା ବେଳେ ସମସ୍ତଙ୍କୁ ସେ ଚା ଓ ପାଣି ପିଇବାକୁ ଦେଇଥିଲେ ବୋଲି ଦଙ୍ଗାରୁ ରକ୍ଷା ପାଇଥିବା ମହମ୍ମଦ ତଲିବ ଓ ଦାନିସ କହିଛନ୍ତି।
ମଧୁଲିକାଙ୍କ ଭାଇ ସଞ୍ଜୟ କହିଛନ୍ତି, ମାମଲା ଥଣ୍ଡା ହେବା ପରେ ଶରଣ ନେଇଥିବା ଲୋକେ ଘରକୁ ଯାଇଥିଲେ। ଏହି ବ୍ୟକ୍ତିମାନଙ୍କ ଭିତରେ ପ୍ରାୟ ୧୩ ଜଣ ମୁସଲିମ ଥିଲେ।
ବିଜେପି ଓ କଂଗ୍ରେସ ସମର୍ଥକଙ୍କ ଭିତରେ ରହିଥିବା ବିବାଦ ଏହି ଦଙ୍ଗାର କାରଣ ବୋଲି ଅଭିଯୋଗ ହେଉଛି। ରାଜନେତା ସାଧାରଣ ଲୋକଙ୍କ ଜୀବନକୁ ଏଭଳି ନଷ୍ଟ ନ କରିବାକୁ ମତ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.