
ମୁମ୍ବାଇ: ଆଇପିଏଲ୍-୧୫ର ୨୫ତମ ମ୍ୟାଚ୍ରେ ଶୁକ୍ରବାର ସନ୍ରାଇଜର୍ସ ହାଇଦ୍ରାବାଦ ଦୁଇ ଥର ବିଜେତା କୋଲକାତା ନାଇଟ୍ ରାଇଡର୍ସକୁ ୭ ୱିକେଟରେ ପରାସ୍ତ କରିଦେଇଛି। ହାଇଦ୍ରାବାଦ ନିଜ ପଞ୍ଚମ ମ୍ୟାଚ୍ ଖେଳି ତୃତୀୟ ବିଜୟ ଏବଂ କୋଲକାତା ଷଷ୍ଠ ମ୍ୟାଚ୍ରୁ ତୃତୀୟ ପରାଜୟ ବରଣ କରିଛି। କୋଲକାତା ପକ୍ଷରୁ ଧାର୍ଯ୍ୟ ୧୭୬ ରନ୍ ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ୧୩ ବଲ୍ ପୂର୍ବରୁ ୩ ୱିକେଟ୍ ହରାଇ ସଂଗ୍ରହ କରିନେଇଥିଲା। ପ୍ରଥମ ଦୁଇ ମ୍ୟାଚ୍ ହାରିଥିବା ହାଇଦ୍ରାବାଦ ପରବର୍ତୀ ୩ ମ୍ୟାଚ୍ ଜିତି ହ୍ୟାଟ୍ରିକ୍ କରିଛି। କେନ୍ ୱିଲିୟମସନ୍ଙ୍କ ଦଳର ବିଜୟରେ ରାହୁଲ ତ୍ରିପାଠୀ ଓ ଏଦୈନ ମର୍କରାମଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ନିର୍ଣ୍ଣାୟକ ହୋଇଥିଲା। କମିନ୍ସଙ୍କୁ ଲଗାତାର ଭାବେ ୪, ୬, ୬ ମାରି ମର୍କରାମ (୬୮, ୩୬ ବଲ୍) ଷ୍ଟାଇଲ୍ରେ ମ୍ୟାଚ୍ ଶେଷ କରିଥିଲେ। ତେବେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିବା କୋଲକାତା ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିବା ରାହୁଲ ତ୍ରିପାଠୀ (୭୧ ରନ୍, ୩୭ ବଲ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଶନିବାର ଡବଲ୍ ହେଡର୍ରେ ମୁମ୍ବାଇ-ଲକ୍ଷ୍ନୌ ଓ ଦିଲ୍ଲୀ-ବାଙ୍ଗାଲୋର୍ ମୁକାବିଲା ହେବ। ବ୍ରାବର୍ଣ୍ଣ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିଲେ ମଧ୍ୟ ୪.୩ ଓଭର ବେଳକୁ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଅଧିନାୟକ ଶ୍ରେୟସ ଆୟର ସାମୟିକ ପାଳି ଗଢ଼ିଥିଲେ ମଧ୍ୟ ଉମ୍ରାନ ମଲ୍ଲିକଙ୍କ ପ୍ରଥମ ଶିକାର ହୋଇ ଫେରିଯାଇଥିଲେ। ମଧ୍ୟକ୍ରମରେ ନୀତୀଶ ରାଣା (୫୪ ରନ୍, ୩୬ ବଲ୍) ଏବଂ ଶେଷ ଭାଗରେ ଆନ୍ଦ୍ରେ ରସେଲ (୪୯, ୨୫ ବଲ୍) ବିସ୍ଫୋରକ ବ୍ୟାଟିଂ କରି ଦଳକୁ ୧୭୫ ରନ୍ରେ ପହଞ୍ଚାଇ ଦେଇଥିଲେ। ଜଗଦୀଶାନ ସୁଚିତ ବୋଲିଂ କରିଥିବା ଶେଷ ଓଭରର ଶେଷ ୩ ବଲରୁ ରସେଲ ୬,୬,୪ ମାରିଥିଲେ। ୟର୍କର ସ୍ପେଶାଲିଷ୍ଟ୍ ଟି ନଟରାଜନ (୩/୩୭) ଏବଂ ଦ୍ରୁତତମ କଶ୍କୀର ବୋଲର ଉମ୍ରାନ ମଲ୍ଲିକ (୨/୨୭) ମିଳିତ ଭାବେ ୫ ୱିକେଟ୍ ଅକ୍ତିଆର କରିଥିଲେ।