
ନୂଆଦିଲ୍ଲୀ: ଚୀନ୍ ନାଗରିକଙ୍କୁ ଦିଆଯାଇଥିବା ପର୍ଯ୍ୟଟନ ଭିସାକୁ ବାତିଲ କଲା ଭାରତ। ଏ ବିଷୟରେ ସୂଚନା ଦେଇଛି ଆନ୍ତର୍ଜାତୀୟ ବିମାନ ପରିବହନ ସଂଘ (ଆଇଏଟିଏ) । ଚୀନ ୨୦,୦୦୦ ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଫେରିବାକୁ ଅନୁମତି ନଦେବା ପରେ ଭାରତ ଏଭଳି ନିଷ୍ପତ୍ତି ନେଇଛି। ଏବେ ଚୀନ୍ ପର୍ଯ୍ୟଟକମାନେ ପର୍ଯ୍ୟଟନ ଭିସା ନେଇ ଭାରତ ଆସିପାରିବେ ନାହିଁ।
ସୂଚନା ମୁତାବକ, ଚୀନରେ ରହି ପାଠ ପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀମାନେ କରୋନା ମହାମାରୀ ସମୟରେ ଭାରତ ଫେରିଥିଲେ। ଏବେ ସଂକ୍ରମଣ କମ ହୋଇଥିଲେ ବି ଚୀନ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଚୀନ ଯିବାକୁ ଅନୁମତି ଦେଉନାହିଁ। ଏହି କାରଣରୁ ଏବେ ଭାରତ ଚୀନ୍ ନାଗରିକଙ୍କୁ ଦିଆଯାଇଥିବା ପର୍ଯ୍ୟଟନ ଭିସାକୁ ବାତିଲ କରିଛି। ଏପ୍ରିଲ୍ ୨୦ ରେ ଆଇଏଟିଏ ଏକ ସର୍କୁଲାର ଜାରି କରିଥିଲା। ସେଥିରେ କୁହାଯାଇଥିଲା ଯେ, ଚୀନର ନାଗରିକଙ୍କୁ ଦିଆଯାଇଥିବା ପର୍ଯ୍ୟଟନ ଭିସା ଆଉ ବୈଧ ନୁହେଁ। ୧୦ବର୍ଷର ବୈଧତା ଥିବା ପର୍ଯ୍ୟଟନ ଭିସାକୁ ଏବେ ବାତିଲ କରାଯାଇଛି।
ମାର୍ଚ୍ଚ ୧୭ରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଥିଲେ ଯେ, ଚୀନର କଡା ପ୍ରତିବନ୍ଧକ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କ ଏକାଡେମିକ କ୍ୟାରିଅରକୁ ବିପଦରେ ପକାଉଥିବାରୁ ଭାରତ ବେଜିଂକୁ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିବାକୁ ଅନୁରୋଧ କରିଛି। ତେବେ ଏପର୍ଯ୍ୟନ୍ତ ଚୀନ ଏଦିଗରେ କୌଣସି ପଦକ୍ଷେପ ନେଇନଥିବାରୁ ଭାରତ ପର୍ଯ୍ୟଟନ ଭିସାକୁ ବାତିଲ କରିଦେଇଛି।
