ଶୀର୍ଷରେ ଗୁଜରାଟ ଲାୟନ୍ସ

add-all

ମୁମ୍ବାଇ: ହାର୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଲାୟନ୍ସର ଜୟଯାତ୍ରା ଜାରି ରହିଛି। ୭ ମ୍ୟାଚ୍‌ରୁ ୬ ବିଜୟ ସହ ଏହି ନବାଗତ ଦଳ ପୁଣି ଶୀର୍ଷକୁ ଫେରିଛି। ଶନିବାର ଡିୱାଇ ପାଟିଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଗୁଜରାଟ ରୋମାଞ୍ଚକ ଭାବେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଥିଲା। ହାର୍ଦିକ ପାଣ୍ଡ୍ୟାଙ୍କ ଲଢ଼ୁଆ ଅର୍ଦ୍ଧଶତକ (୪୯ ବଲରୁ ୬୭ ରନ୍‌) ସତ୍ତ୍ବେ ଟାଇଟାନ୍ସ ୧୫୬/୯ରେ ସୀମିତ ରହିଥିଲା। ହାର୍ଦିକଙ୍କ ଆଉଟ୍ କାରଣରୁ ଶେଷ ୫ ଓଭରରେ ଦଳ ମାତ୍ର ୨୯ ରନ୍‌ରେ ୭ ୱିକେଟ୍ ହରାଇ ବଡ଼ ସ୍କୋର ସୁଯୋଗ ହାତଛଡ଼ା କରିଥିଲା। ତଥାପି ବୋଲିଂ ଓ ‌କ୍ଷେତ୍ରରକ୍ଷଣରେ ଉତ୍କୃଷ୍ଟ ନମୂନା ଦେଖାଇ ଗୁଜରାଟ ୨ ଥର ବିଜେତା କେକେଆର୍‌କୁ ୧୪୮ ରନ୍‌ରେ ରୋକି ଦେଇଥିଲା। ଜବାବରେ ମହମ୍ମଦ ସାମି ଏବଂ ଲୋକି ଫର୍ଗୁସନ୍‌ କେକେଆର୍‌ର ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇବା ପରେ ମଧ୍ୟକ୍ରମରେ ରସିଦ୍‌ ଖାନ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ। ମନୋହର ଏବଂ ଫର୍ଗୁସନଙ୍କ ୨ଟି ସୁନ୍ଦର କ୍ୟାଚ୍‌ ନିର୍ଣ୍ଣାୟକ ହୋଇଥିଲା। ବିଶେଷକରି ଶେଷ ଓଭରରେ ଆନ୍ଦ୍ରେ ରସେଲଙ୍କ କ୍ୟାଚ୍‌ ନେଇ ଫର୍ଗୁସନ୍‌ କୋଲକାତା ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ଶେଷ ଓଭରରୁ ୧୮ ରନ୍‌ ଆବଶ୍ୟକ କରୁଥିବା କେକେଆର୍‌ ରସେଲଙ୍କୁ ହରାଇବା ପରେ ଆଉ ଧାର୍ଯ୍ୟ ଲକ୍ଷ୍ୟରେ ପହଞ୍ଚି ପାରିନଥିଲା। ଏହି ଦଳ ଶେଷ ୪ ୱିକେଟ୍ ୩୪ ରନ୍‌ରେ ହରାଇ ବିଜୟ ସୁଯୋଗ ହାତଛଡ଼ା କରିଥିଲା। ଗୁଜରାଟ ପାଳିର ଶେଷ ଓଭରରେ ୪ ୱିକେଟ୍‌ ଦଖଲ କରିଥିବା ଆନ୍ଦ୍ରେ ରସେଲଙ୍କ ଅଲ୍ ରାଉଣ୍ଡ୍ ପ୍ରଦର୍ଶନ (୧-୦-୫-୪ ଏବଂ ୨୫ ବଲ୍‌ରୁ ୪୮ ରନ୍‌) ବେକାର ଯାଇଥିଲା। ପୁଣି ଥରେ ସୁନ୍ଦର ବୋଲିଂ (୪-୦-୨୨-୨) ସହ ଦ୍ବିତୀୟ ପାଳିରେ ଦଳର ନେତୃତ୍ବ ସମ୍ଭାଳିଥିବା ରସିଦ୍‌ ଖାନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଟାଇଟନ୍ସର ଚତୁର୍ଥ ଶେଷ ଓଭର ବିଜୟ
ଚଳିତ ଋତୁରେ ପଦାର୍ପଣ କରିଥିବା ଗୁଜରାଟ ଟାଇଟନ୍ସ ଚଳିତ ଋତୁରେ ଖେଳିଥିବା ପ୍ରଥମ ୭ ମ୍ୟାଚ୍‌ରୁ ୬ଟି ଜିତିଛି। କିନ୍ତୁ ଏହା ମଧ୍ୟରୁ ୪ଟିରେ ଦଳ ଶେଷ ଓଭରରେ ଜିତି ଚାପରେ ପଡୁନଥିବାର ପ୍ରମାଣ ଛାଡ଼ିଛି। ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶେଷ ବଲ୍‌ରେ, ଚେନ୍ନାଇ ସୁପର୍‌ କିଙ୍ଗ୍ସ ବିପକ୍ଷରେ ଗୋଟିଏ ବଲ୍‌ ଥାଇ, ‌ଲକ୍ଷ୍ନୌ ସୁପର୍ ଜ୍ୟାଣ୍ଟ୍ସ ବିପକ୍ଷରେ ୨ ବଲ୍ ପୂର୍ବରୁ ଜିତିଥିବା ଏହି ଦଳ ଶନିବାର ମଧ୍ୟ ଶେଷ ବଲ୍‌ ପରେ ୮ ରନ୍‌ରେ ଜିତିଛି।

ad-week
Leave A Reply

Your email address will not be published.