ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବିଗୁଲି ଫୁଙ୍କିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

add-all

ଅମଦାବାଦ: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଗୁଜରାଟ ବିଧାନସଭା ପାଇଁ ଆଜି ବିଧିବଦ୍ଧ ଭାବେ ବିଗୁଲି ଫୁଙ୍କିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏଥିସହ ସେ କଂଗ୍ରେସକୁ ସମାଲୋଚନା କରି ଏହା କେବଳ ଗୋଟିଏ ଭାଇ-ଭଉଣୀର ଦଳ ବୋଲି କହି କଟାକ୍ଷ କରିଛନ୍ତି।
ଅହମଦାବାଦରେ ଥିବା କନଭେସନ ସେଣ୍ଟର୍‌ରେ ବିଜେପି କାର୍ଯ୍ୟକର୍ତ୍ତାକୁ ସମ୍ବୋଧନ କରି ନଡ୍ଡା କହିଛନ୍ତି, “ସବୁ ଆଞ୍ଚଳିକ ଦଳ ଏବେ ପରିବାର ପାର୍ଟିରେ ପରିଣତ ହୋଇଗଲେଣି। ଆମେ ଦେଶରେ ଅନ୍ୟ କୌଣସି ଜାତୀୟ ରାଜନୀତିକ ଦଳ ନାହାନ୍ତି। ବିଜେପି କେବଳ ଏକମାତ୍ର ଜାତୀୟ ରାଜନୀତିକ ଦଳ ଭାବେ କାମ କରୁଛି।
କଂଗ୍ରେସ ଆଉ ଜାତୀୟ ରାଜନୀତିକ ଦଳ ହୋଇନାହିଁ। ସେମାନେ ଏବେ କେବଳ ଦୁଇଟି ରାଜ୍ୟରେ ରହିଛନ୍ତି। ଏହି ଦୁଇ ରାଜ୍ୟ ମଧ୍ୟ ବଦଳିଯିବ। ଭାରତୀୟ ଜାତୀୟ କଂଗ୍ରେସ ପାର୍ଟି ଆଉ ଭାରତୀୟ ନୁହେଁ କିମ୍ବା ଜାତୀୟ ପାର୍ଟି ନୁହେଁ। ଏହା କେବଳ ଗୋଟିଏ ଭାଇ-ଭଉଣୀର ଦଳ। ଆଜି କଂଗ୍ରେସ କେଉଁଠି ଅଛି?”
ଏହାପରେ ଶ୍ରୀ ନଡ୍ଡା କିଛି ଆଞ୍ଚଳିକ ଦଳ କେମିତି ଫ୍ୟାମିଲି ପାର୍ଟିରେ ପରିଣତ ହୋଇଛନ୍ତି, ତା’ର ଉଦାହରଣ ଦେଇଥିଲେ। ସେ ନ୍ୟାଶନାଲ କନଫରେନ୍ସ ପାର୍ଟି, ପିପୁଲ୍ସ ଡେମୋକ୍ରାଟିକ ପାର୍ଟି, ଶିରୋମଣି ଅକାଳୀ ଦଳ, ସମାଜବାଦୀ ପାର୍ଟି, ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଟିଏମସି କଥା କହିଛନ୍ତି।
ନଡ୍ଡା ଆହୁରି କହିଛନ୍ତି, “ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ମଧ୍ୟ ସମାନ ସ୍ଥିତି। ତାମିଲନାଡୁରେ ଥିବା ଡିଏମକେ ମଧ୍ୟ ଗୋଟିଏ ଫ୍ୟାମିଲି ପାର୍ଟି। ଆପଣମାନେ ମହାରାଷ୍ଟ୍ରକୁ ଦେଖନ୍ତୁ। ସେଠାରେ ଶିବସେନା ଓ ଏନସିପି ଆଉ ଆଞ୍ଚଳିକ ଦଳ ନୁହନ୍ତି। ସେମାନେ ମଧ୍ୟ ପରିବାରବାଦକୁ ପ୍ରୋତ୍ସାହନ ଦେଉଥିବା ପାର୍ଟି।”
ଦିନିକିଆ ଗୁଜରାଟ ଗସ୍ତରେ ଯାଇଥିବା ନଡ୍ଡା ଆଜି ଦଳୀୟ ନେତା, ବିଧାୟକ, ସାଂସଦ ଓ କର୍ମକର୍ତ୍ତାଙ୍କ ସହ ବିଧାନସଭା ନିର୍ବାଚନ ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିସହ ସେ ଗାନ୍ଧିନଗର, ଭଦୋଦରା ଓ ଅହମଦାବାଦରେ ବିଭିନ୍ନ କାର୍ଯ୍ୟକ୍ରମ କରି ବିଧାନସଭା ନିର୍ବାଚନ ପୂର୍ବରୁ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି।

ad-week
Leave A Reply

Your email address will not be published.