
ମୁମ୍ବାଇ: କୋଲକାତା ବିପକ୍ଷରେ ଦିଲ୍ଲୀର ଦାଦାଗିରି ଜାରି ରହିଛି। ଚଳିତ ଆଇପିଏଲ୍ର ୪୧ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ରୋମାଞ୍ଚକର ଭାବେ ୪ ୱିକେଟ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ହରାଇ ସପ୍ତମ ମ୍ୟାଚ୍ରୁ ଚତୁର୍ଥ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ କୋଲକାତା ନବମ ମ୍ୟାଚ୍ରୁ ଷଷ୍ଠ ପରାଜୟ ବରଣ କରିଛି। ଚଳିତ ଋତୁରେ କୋଲକାତା ବିପକ୍ଷରେ ଦିଲ୍ଲୀର ଏହା ଲଗାତାର ଦ୍ବିତୀୟ ବିଜୟ ଥିଲା। ଦିଲ୍ଲୀର ଏହି ଯୁଗଳ ବିଜୟରେ ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବଙ୍କ ଯାଦୁ ଦେଖିବାକୁ ମିଳିଛି। ପ୍ରଥମ ଭଳି ଦ୍ବିତୀୟରେ ମଧ୍ୟ କୁଲଦୀପ ଚାରିଟି ୱିକେଟ୍ ନେଇ ଦିଲ୍ଲୀକୁ ବିଜୟୀ କରାଇଛନ୍ତି। ସେ ଆଶାଜନକ ଭାବେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।
ଗୁରୁବାର ଦିଲ୍ଲୀ ପଶ୍ଚାତଧାବନର ଶୁଭାରମ୍ଭ ସେତେଟା ଭଲ ନଥିଲା। ଦ୍ବିତୀୟ ବଲ୍ରେ ଓପନର ପୃଥ୍ବୀ ସ’ଙ୍କୁ ହରାଇଥିଲା ଏହି ଦଳ। ତାଙ୍କୁ ଉମେଶ ଯାଦବ ନିଜ ଫଲୋଥ୍ରୁରେ କଟ୍ ଆଣ୍ଡ ବୋଲ୍ଡ କରିବା ପରେ ମିଚେଲ ମାର୍ସଙ୍କୁ ହର୍ଷିତ ରାଣା ପ୍ୟାଭିଲିୟନ ପଠାଇ ଦିଲ୍ଲୀକୁ ୧୭ ରନ୍ରେ ଦୁଇଟି ଝଟ୍କା ଦେଇଥିଲେ। ତେବେ ଡେଭିଡ୍ ୱାର୍ଣ୍ଣରଙ୍କ ଦ୍ରୁତ ୪୨ ରନ୍ ବଳରେ ଦିଲ୍ଲୀ ତାର ରନ୍ ସଂଗ୍ରହ ହାରକୁ କମିବାକୁ ଦେଇ ନଥିଲା। ଏହା ପରେ କୋଲକାତା ବୋଲରମାନେ ନିୟମିତ ବ୍ୟବଧାନରେ ୱିକେଟ୍ ନେଇଥିଲେ। ତେବେ ସ୍କୋରବୋର୍ଡରେ ଅଧିକ ରନ୍ ନଥିବାରୁ ଦିଲ୍ଲୀ ଉପରେ ଅଧିକ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇନଥିଲେ। ଶେଷରେ ଦିଲ୍ଲୀ ରୋଭମନ ପାୱେଲଙ୍କ ବିସ୍ଫୋରକ ୩୩ରନ୍ ବଳରେ ଓଭର ପୂର୍ବରୁ ୧୪୭ ରନ୍ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ତା ସହ କୋଲକାତା ଲାଗାତାର ପଞ୍ଚମ ପରାଜୟ ବରଣ କରିଥିଲା ଅପଯଶ ମୁଣ୍ଡାଇଥିଲା।
ଦିଲ୍ଲୀ ଆଜି ଟସ୍ ଜିତି କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅଧିନାୟକ ଋଷଭ ପନ୍ତଙ୍କ ନିଷ୍ପତ୍ତିକୁ ଯଥାର୍ଥ ପ୍ରମାଣିତ କରି ଦିଲ୍ଲୀ ବୋଲରମାନେ ତାରକା ଖଚିତ କୋଲକାତା ବ୍ୟାଟିଂ ବାହିନୀକୁ ଏକପ୍ରକାର ଧୂଳି ଚଟାଇ ଦେଇଥିଲେ।
ବିଶେଷ କରୀ ସ୍ପିନର କୁଲଦୀପ ଯାଦବ ମାତ୍ର ୧୪ ରନ୍ ଦେଇ ୪ ୱିକେଟ୍ ନେବା ସହ କୋଲକାତାର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ସେହିଭଳି ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନ ୨୦ତମ ଓଭରରେ ମାତ୍ର ୨ ରନ୍ ବ୍ୟୟ କରି ୩ ୱିକେଟ୍ କରାୟତ୍ତ କରିଥିଲେ। ଏହି ଓଭରର ଚତୁର୍ଥ ଓ ପଞ୍ଚମ ବଲ୍ରେ ମୁସ୍ତାଫିଜୁର ଲଗାତାର ୱିକେଟ୍ ଅକ୍ତିଆର କରିଥିଲେ। ହେଲେ ହର୍ଷିତ ରାଣା ଏହି ଘଟଣା ବହୁଳ ଓଭରର ଶେଷ ବଲ୍ରୁ ରକ୍ଷଣାତ୍ମକ ଢଙ୍ଗରେ ଖେଳିବା ପରେ ଅଳ୍ପକେ ହ୍ୟାଟ୍ରିକ୍ ଅର୍ଜନ କରିବାରୁ ବଞ୍ଚିତ ହୋଇଥିଲେ ମୁସ୍ତାଫିଜୁର। ପୂର୍ବରୁ ମାତ୍ର ୩୫ ରନ୍ରେ ୪ ୱିକେଟ୍ ହରାଇ ଘୋର ସିଙ୍କଟରେ ପଡ଼ିଥିବା କୋଲକାତା ଅଧିନାୟକ ଶ୍ରେୟସ୍ ଆୟରଙ୍କ ୪୨ ଏବଂ ନୀତୀଶ ରାଣାଙ୍କ ୫୭ ରନ୍ ବଳରେ ସମ୍ମାନ ରଖିଥିଲା। ତେବେ ୯ ୱିକେଟ୍ ବିନିମୟରେ ୧୪୬ ରନ୍ କରି ଦିଲ୍ଲୀ ପାଇଁ ୧୪୭ ରନ୍ର ସହଜ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଦିଲ୍ଲୀ ବୋଲର ଏମିତି ମାପଚୁପ ଓ ଶାଣିତ ବୋଲିଂ କରିଥିଲେ ଯେ କୋଲକାତାର ୬ଜଣ ବ୍ୟାଟର୍ ଏକଅଙ୍କ ଆଗକୁ ବଢ଼ି ପାରି ନଥିଲେ।