ଆମେରିକାରେ ଥମୁନି ହିଂସାତ୍ମକ ଘଟଣା, ଚର୍ଚ୍ଚରେ ଆଖି ବୁଜା ଗୁଳି ଚାଳନା

add-all

କାଲିଫର୍ନିଆ: ଯୁକ୍ତରାଷ୍ଟ୍ର ଆମେରିକାରେ ହିସାଂତ୍ମକ ଘଟଣା ଥମିବା ନାଁ ଧରୁନି । ଗତ ଶନିବାର ଆମେରିକାର ବଫେଲୋ ସହରସ୍ଥିତ ଏକ ସୁପର ମାର୍କେଟରେ ଆଖି ବୁଜା ଗୁଳି ଚାଳନା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ରବିବାର କାଲିଫର୍ନିଆର ଏକ ଚର୍ଚ୍ଚରେ ଘଟିଛି ସମାନ ଘଟଣା। ସନ୍ଦିଗ୍ଧଙ୍କ ଅତର୍କିତ ଫାୟାରିଂ ଯୋଗୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।
ସୂଚନା ମୁତାବକ, କାଲିଫର୍ନିଆର ଲଗୁନା ବୁଡସ୍‌ ସହରସ୍ଥିତ ଏକ ଚର୍ଚ୍ଚରେ ଗତକାଲି ଅପରାହ୍ନ ପ୍ରାୟ ଦେଢଟା ପରେ ଗୁଳି ଶବ୍ଦ ଶୁଣିବାକୁ ମିଳିଥିଲା। ଉକ୍ତ ସମୟରେ ଚର୍ଚ୍ଚରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ। ଗୁଳି ଶବ୍ଦ ଶୁଣି ଚର୍ଚ୍ଚ ଭିତରେ ଧାଁ ଦୌଡ଼ ଆରମ୍ଭ ହୋଇ ଯାଇଥିଲା। ଗୁଳି ବାଜି ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ ସହ ବନ୍ଧୁକ ଜବତ କରାଯାଇଥିବା ପୁଲିସ୍‌ କହିଛି। ପୁଲିସ୍‌ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଦେଇଥିବା ବେଳେ ଘୃଣା ଭାବନାରୁ ଅଭିଯୁକ୍ତଜଣକ ଏପରି ଘଟାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ସହରରେ ଏହି ଘଟଣା ଘଟି ଚାଲିଥିବା ବେଳେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ।

ad-week
Leave A Reply

Your email address will not be published.