ମଦ ପିଇ ବରଯାତ୍ରୀଙ୍କ ସହ ନାଚିଲା ବର, ଅନ୍ୟ ଜଣଙ୍କୁ ବିବାହ କଲା ଅସନ୍ତୁଷ୍ଟ କନ୍ୟା

ଜୟପୁର: ବରର ମଦ୍ୟପ ନୃତ୍ୟ ଏବଂ ବରଯାତ୍ରୀ ପହଞ୍ଚିବାରେ ବିଳମ୍ୱ ଯୋଗୁଁ ବିବାହ କରିବାକୁ ମନା କଲା କନ୍ୟା । ରାଜସ୍ଥାନର ଚୁରୁ ଜିଲ୍ଲାର ରାଜଘର ତହସିଲର ଛେଲନା ଗାଁରେ ସାମନାକୁ ଆସିଛି ଏଭଳି ଘଟଣା ।

ସୂଚନା ଅନୁସାରେ, ମେ ୧୫ରେ ବର ପକ୍ଷ ରାଜଗଡ ତହସିଲରେ ଥିବା କନ୍ୟାର ଗାଁ ଚେଲାନାରେ ପହଞ୍ଚିଥିଲେ। ରାତି ୯ଟା ସୁଦ୍ଧା ବରଯାତ୍ରୀ କନ୍ୟା ଘର ନିକଟରେ ପହଞ୍ଚିବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ବର ଏବଂ ତାର ସାଙ୍ଗମାନେ ମଦ ପିଇ ଦୀର୍ଘ ସମୟ ଯାଏଁ ଡିଜେର ତାଳେ ତାଳେ ନାଚିଥିଲେ । ଫଳରେ କନ୍ୟା ଘର ନିକଟରେ ବରଯାତ୍ରୀ ପହଞ୍ଚିବାରେ ବହୁ ବିଳମ୍ୱ ହୋଇଥିଲା।

ବିବାହର ଶୁଭ ମୁହୂର୍ତ୍ତ ପ୍ରାୟ ରାତି ୧.୧୫ ମିନିଟରେ ଥିଲା, କିନ୍ତୁ ବର ପକ୍ଷ ପହଞ୍ଚିବାର ନାଁ ଧରୁ ନଥିଲା। ବରଯାତ୍ରୀର ମଦ୍ୟପ ନୃତ୍ୟକୁ ନେଇ କନ୍ୟା ପକ୍ଷ ଏବଂ ନିଜେ କନ୍ୟା ମଧ୍ୟ ଅତିଷ୍ଠ ହୋଇଥିଲେ। ଶେଷରେ ଅପେକ୍ଷାର ସବୁ ସୀମା ପାର ହେବା ପରେ କନ୍ୟା ବରଯାତ୍ରୀକୁ ଫେରି ଚାଲିଯିବାକୁ କହିଥିଲେ । ପରେ କନ୍ୟା ଘର ଲୋକେ ନିଜ ଝିଅର ବିବାହ ଅନ୍ୟ ଜଣଙ୍କ ସହ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଅନ୍ୟ ପକ୍ଷର ଅଭିଯୋଗ ଥିଲା ବିବାହକୁ ନେଇ ବର ଏବଂ ତାର ପରିବାର ଗମ୍ଭୀର ନାହିଁ। ସେମାନେ ଭବିଷ୍ୟତରେ ମଧ୍ୟ ଏହିପରି ବ୍ୟବହାର ପ୍ରଦର୍ଶନ କରିପାରନ୍ତି। ଶେଷରେ ପୋଲିସର ପରାମର୍ଶ ପରେ ଉଭୟ ପରିବାର ବିବାହ ରଦ୍ଦ କରିବାକୁ ରାଜି ହୋଇଥିଲେ।

ad-week
Leave A Reply

Your email address will not be published.