ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ ଦଳ ଛାଡ଼ିଲେ

add-all

ନୂଆଦିଲ୍ଲୀ: କଂଗ୍ରେସକୁ ବଡ ଝଟ୍‌କା। ଦଳ ଛାଡ଼ିଲେ କପିଲ ଶିବଲ | ଦଳ ଛାଡ଼ିବା ପରେ ସମାଜବାଦୀ ପାର୍ଟିର ସମର୍ଥନରେ ରାଜ୍ୟସଭା ଯିବା ଲାଗି ସ୍ୱାଧୀନ ଭାବେ ରାଜ୍ୟସଭା ପ୍ରାର୍ଥୀ ନିମନ୍ତେ ନାମାଙ୍କନ ଭରିଛନ୍ତି।
କପିଲ ଶିବଲ ଆଜି ଲକ୍ଷ୍ନୌରେ ପହଞ୍ଚି ସମାଜବାଦୀ ପାର୍ଟି ମୁଖ୍ୟ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ସାପା ମୁଖ୍ୟ ଅଖିଲେଶ ଯାଦବଙ୍କୁ ଭେଟିଥିଲେ। ଏହାପରେ ଉଭୟ ଗୋଟିଏ କାର୍‌ରେ ବସି ବିଧାନସଭା ପହଞ୍ଚିଥିଲେ। ବର୍ତ୍ତମାନ ଯାଏଁ କଂଗ୍ରେସ ଦଳରେ ଥିବା ଶିବଲ ସମାଜବାଦୀ ପାର୍ଟି ସମର୍ଥନରେ ସ୍ୱାଧୀନ ଭାବେ ଉତ୍ତର ପ୍ରଦେଶରୁ ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି। ଏହାପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ନେଇ ଖୁଲାସା କରିଛନ୍ତି।
ନାମାଙ୍କନ ଭରିବା ପରେ କପିଲ ଶିବଲ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ‘ମୁଁ ମେ ୧୬ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲି। ସଂସଦରେ ଏକ ସ୍ୱତନ୍ତ୍ର ସ୍ୱର ରହିବା ଜରୁରୀ ବୋଲି ସେ କହିଛନ୍ତି। ଯାହାକି କ୍ଷମତାସୀନ ବିଜେପିର ଜନମାରଣ ନୀତି ବିରୋଧରେ ଜନ ଜାଗରଣ ସୃଷ୍ଟି କରିବ। ଯଦି ଏକ ସ୍ୱତନ୍ତ୍ର ସ୍ୱର କଥା ହୁଏ, ଲୋକମାନେ ବିଶ୍ୱାସ କରିବେ ଯେ ଏହା କୌଣସି ରାଜନୈତିକ ଦଳର ନୁହେଁ।’
ଦୀର୍ଘ ଦିନ ଧରି କଂଗ୍ରେସ ବିରୋଧରେ ସ୍ୱର ଉତ୍ତୋଳନ କରି ଆସୁଥିଲେ ଶିବଲ। ନିକଟରେ ସୁପ୍ରିମକୋର୍ଟର ଓକିଲ ଭାବେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ୍‌ଙ୍କ ଜାମିନ ସେ କରାଇଛନ୍ତି। ଆଜମ୍ ଖାନଙ୍କ ଓକିଲ ଭାବେ ଏବେ ସେ ସୁପ୍ରିମ କୋର୍ଟରେ ମାମଲା ଲଢୁଛନ୍ତି । ଏନେଇ ଆଜମ୍ ଖାନ ମଙ୍ଗଳବାର ଦିନ କହିଥିଲେ କି ଯଦି ସମାଜବାଦୀ ପାର୍ଟି କପିଲ ଶିବଲଙ୍କୁ ରାଜ୍ୟସଭା ପ୍ରାର୍ଥୀଭାବେ ମନୋନୀତ କରେ ତେବେ ସେ ଅଧିକ ଖୁସି ହେବେ।
କପିଲ ଶିବଲ କଂଗ୍ରେସର ବରିଷ୍ଠ ନେତାମାନଙ୍କ ମଧ୍ୟରୁ ଜଣେ। କିଛିଦିନ ପୂର୍ବରୁ ଜି-୨୩ ନାମକ ଏକ ସଂଗଠନ କରି କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଓ ସଂଗଠନର ସମ୍ପୁର୍ଣ୍ଣ ପରିବର୍ତ୍ତନ ପାଇଁ ଶିବଲ ସ୍ୱର ଉଠାଇଥିଲେ। ସେ ସମାଜବାଦୀ ପାର୍ଟିରେ ଯୋଗ ଦେବା ପୂର୍ବରୁ ଏକ ସାକ୍ଷାତକାରରେ କଂଗ୍ରେସ ଓ ଗାନ୍ଧୀ ପରିବାର ଉପରେ ଖୁବ୍ ବର୍ଷିଥିଲେ। ସେ କହିଥିଲେ, ‘ଗାନ୍ଧୀ ପରିବାର ନିଜ ହାତରୁ କଂଗ୍ରେସର ନେତୃତ୍ୱ ଛାଡି ଦେବାର ସମୟ ଆସିଛି। କେବଳ ଘରେ କଂଗ୍ରେସ ନୁହେଁ ବରଂ କଂଗ୍ରେସ ସମସ୍ତଙ୍କର ହେବା ଦରକାର।’
ସୂଚନା ଥାଉକି ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି କୋଟାରେ ୩ ଟି ଆସନ ରହିଛି । ହେଲେ ବାକି ୨ ଜଣ କିଏ କିଏ ରାଜ୍ୟସଭା ପ୍ରାର୍ଥୀ ହେବେ ସେ ନେଇ ଅଖିଳେଶ ସସ୍‌ପେନ୍ସ ଜାରି ରଖିଛନ୍ତି। ଅନୁମାନ କରାଯାଉଛି କି ଦଳ ଡିମ୍ପଲ ଯାଦବ ଓ ଜାବେଦ ଅଲ୍ଲୀ ଖାନଙ୍କୁ ରାଜ୍ୟସଭା ପଠାଇବାକୁ ସ୍ଥିର କରିଛି।

ad-week
Leave A Reply

Your email address will not be published.