ଦୁର୍ଘଟଣାଗ୍ରସ୍ତ ନେପାଳ ବିମାନର ବ୍ଲାକ୍‌ ବକ୍ସ ଉଦ୍ଧାର; ଦୁର୍ଘଟଣାର କାରଣ ଥିଲା ଖରାପ ପାଗ

add-all

କାଠମାଣ୍ଡୁ: ମଙ୍ଗଳବାର ଦିନ ଅଭିଜ୍ଞ ଆନ୍ତର୍ଜାତୀୟ ଏବଂ ଜାତୀୟ ପର୍ବତାରୋହୀଙ୍କ ଏକ ଦଳ ରବିବାର ଦିନ ନେପାଳର ପାର୍ବତ୍ୟ ଅଞ୍ଚଳ ମୁସ୍ତାଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ତାରା ଏୟାର ବିମାନର ବ୍ଲାକ୍‌ ବକ୍ସକୁ ଉଦ୍ଧାର କରିବାରେ ସମର୍ଥ ହୋଇଛନ୍ତି। ଏହି ବିମାନ ଦୁର୍ଘଟଣାରେ ଚାରି ଜଣ ଭାରତୀୟ (ଓଡ଼ିଆ)ଙ୍କ ସମେତ ବିମାନରେ ଥିବା ସମସ୍ତ ୨୨ ଜଣଙ୍କର ମୃତ୍ୟୁ ଘଟିଛି।
ମୁସ୍ତାଙ୍ଗର ମୁଖ୍ୟ ଜିଲ୍ଲା ଅଧିକାରୀ ନେତ୍ରା ପ୍ରସାଦ ଶର୍ମା କହିଛନ୍ତି ଯେ ମଙ୍ଗଳବାର ଦିନ ଉଦ୍ଧାରକାରୀ ଦଳ ବିମାନର ଧ୍ୱଂସାବଶେଷ ସ୍ଥାନରୁ ଶେଷ ମୃତଦେହକୁ ମଧ୍ୟ ଉଦ୍ଧାର କରିଛନ୍ତି। ମୁଖ୍ୟ ଜିଲ୍ଲା ଅଧିକାରୀ ଶର୍ମାଙ୍କ କହିବାନୁସାରେ, ସୋମବାର ଦିନ ୧୦ ଜଣଙ୍କ ମୃତଦେହ କାଠମାଣ୍ଡୁ ପଠାଯାଇ ସାରିଥିବା ବେଳେ ବାକି ମୃତଦେହଗୁଡ଼ିକୁ ଦୁର୍ଘଟଣାସ୍ଥଳରୁ କୋବାଙ୍ଗକୁ ସ୍ଥାନାନ୍ତର କରାଯାଇଛି ଏବଂ ସେଗୁଡ଼ିକୁ କାଠମାଣ୍ଡୁକୁ ବିମାନଯୋଗେ ନିଆଯିବା ପାଇଁ ବ୍ୟବସ୍ଥା କରାଯାଉଛି।
ହିମାଳୟ ଟାଇମ୍‌ସ ରିପୋର୍ଟ କରିଛି ଯେ ଟର୍ବୋପ୍ରୋପ୍‌ ଟ୍ଵିିନ୍‌ ଇଞ୍ଜନ୍‌ ବିଶିଷ୍ଟ ୯ଏନ୍‌-ଏଇଟି ବିମାନର ବ୍ଲାକ୍‌ ବକ୍ସକୁ ଅଭିଜ୍ଞ ଆନ୍ତର୍ଜାତୀୟ ଏବଂ ଜାତୀୟ ପର୍ବତାରୋହୀଙ୍କ ଏକ ଦଳ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରିଛନ୍ତି। ଉଦ୍ଧାର କରାଯାଇଥିବା ବ୍ଲାକ୍‌ ବକ୍ସକୁ କାଠମାଣ୍ଡୁକୁ ପଠାଯିବ। ଖରାପ ପାଗ ମଧ୍ୟରେ ନିଖୋଜ ହେବାର ୧୯ ଘଣ୍ଟା ପରେ ସୋମବାର ସକାଳେ ତାରା ଏୟାର ବିମାନଟି ଦୁର୍ଘଟଣାଗ୍ରସ୍ତ ଅବସ୍ଥାରେ ମିଳିଥିଲା। ଭୌଗୋଳିକ ଦୂରତା ଏବଂ ପ୍ରତିକୂଳ ପାଣିପାଗ ପରିସ୍ଥିତି ହେତୁ ସନ୍ଧାନ ଏବଂ ପୁନରୁଦ୍ଧାର ମିଶନ ବିଳମ୍ବିତ ହୋଇଥିଲା।
ଦୁର୍ଘଟଣାଗ୍ରସ୍ତ ବିମାନଟିର ଧ୍ୱଂସାବଶେଷ ଭୂପୃଷ୍ଠରୁ ୪,୨୦୦ ମିଟର ଉଚ୍ଚତାରେ ବିକ୍ଷିପ୍ତ ଭାବେ ପଡ଼ିଥିବା ଦେଖିବାକୁ ମିଳିଥିଲା। ନେପାଳ ସେନା, ସଶସ୍ତ୍ର ପୁଲିସ ଫୋର୍ସ, ନେପାଳ ପୁଲିସ ଏବଂ ସ୍ଥାନୀୟ ଲୋକମାନେ ସୋମବାର ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହ ଉଦ୍ଧାର କରିଥିଲେ।
ବର୍ତ୍ତମାନ ଏହା ନିଶ୍ଚିତ ହୋଇଛି ଯେ ଖରାପ ପାଗ କାରଣରୁ ଘଟିଥିବା ଏହି ଦୁଃଖଦ ଦୁର୍ଘଟଣାରେ ଚାରି ଜଣ ଭାରତୀୟ(ଓଡ଼ିଆ) ନାଗରିକ ଏବଂ ତିନି ଜଣ କ୍ରୁ ସଦସ୍ୟଙ୍କ ସମେତ ସମସ୍ତ ୨୨ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ କହିଛନ୍ତି। ଏହି ଦୁଃଖଦ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଚାରି ଜଣ ଭାରତୀୟ(ଓଡ଼ିଆ) ନାଗରିକଙ୍କ ମୃତଦେହକୁ ଭାରତ ପଠାଇବା ପାଇଁ କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପ୍ରସ୍ତୁତି ଚାଲିଛି।

ad-week
Leave A Reply

Your email address will not be published.