ଭୟରେ କଶ୍ମୀର ପଣ୍ଡିତଙ୍କ ଶିବିର ସିଲ୍‌ କଲେ ସରକାର

add-all

ଶ୍ରୀନଗର: ଆତଙ୍କବାଦୀଙ୍କ ଟାର୍ଗେଟରେ କଶ୍ମୀର ପଣ୍ଡିତ। ଜଣଙ୍କ ପରେ ଜଣଙ୍କୁ ଆତଙ୍କବାଦୀମାନେ କରୁଛନ୍ତି ହତ୍ୟା। ଏହାକୁ ଏବେ ଜୋରଦାର କଶ୍ମୀର ପଣ୍ଡିତମାନେ ବିରୋଧ କରିଛନ୍ତି। ସେମାନଙ୍କ ଜୀବନ ପ୍ରତି ବିପଦ ଥିବା କହି କଶ୍ମୀର ଉପତ୍ୟକା ଛାଡିଦେବାକୁ ଗତକାଲି କଶ୍ମୀର ପଣ୍ଡିତମାନେ ସରକାରଙ୍କୁ ଚେତାବନୀ ଦେଇଥିଲେ। ଆଜି ସରକାର ଭୟରେ କଶ୍ମୀର ପଣ୍ଡିତଙ୍କ ଶିବିରକୁ ସିଲ୍‌ କରିଦେଇଛନ୍ତି। ବାହାରକୁ ଆସିବା ପାଇଁ ସେମାନଙ୍କୁ ବାରଣ କରାଯାଇଛି। ଏଥିସହ ଶିବିର ଆଖପାଖରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍ ଅଧୀନରେ ଥିବା ପ୍ରାୟ ୪ ହଜାର କଶ୍ମୀର ପଣ୍ଡିତ ମଙ୍ଗଳବାର ୨୪ ଘଣ୍ଟା ଭିତରେ ଯଦି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ନ କରାଯାଏ ତେବେ ଉପତ୍ୟକା ଛାଡିଦେବାକୁ ଧମକ ଦେଇଥିଲେ। ଆଜି ସରକାରଙ୍କ ପକ୍ଷରୁ ଅନେକ ସ୍ଥାନରେ ଥିବା ପ୍ରବାସୀ ପଣ୍ଡିତଙ୍କ ଟ୍ରାଞ୍ଜିଟ କ୍ୟାମ୍ପକୁ ସିଲ୍‌ କରାଯାଇଛି। ଶ୍ରୀନଗର ଇନ୍ଦ୍ର ନଗର ପାଖରେ ଅନେକ କଶ୍ମୀର ପଣ୍ଡିତ ରୁହନ୍ତି। ପୁଲିସ ଏବେ ଏହି ସ୍ଥାନର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରିଦେଇଛି। କୌଣସି ବି କଶ୍ମୀର ପଣ୍ଡିତଙ୍କୁ ବାହାରକୁ ବହାରିବା ପାଇଁ ମନା କରାଯାଇଛି।
ବେସୁ ପଣ୍ଡିତ କଲୋନୀ ହେଉଛି ସବୁଠାରୁ ବଡ ଟ୍ରାଞ୍ଜିଟ୍‌ କ୍ୟାମ୍ପ। ଏଠାରେ ମଙ୍ଗଳବାର ହଜାର ହଜାର କଶ୍ମୀର ପଣ୍ଡିତମାନେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ଘାଟିରେ ନ୍ୟାୟ ଏବଂ ପୂନର୍ବାସ ଦାବି କରି ନାରାବାଜି କରିଥିଲେ। ଏହି ସମୟରେ କୌଣସି ବି ପଣ୍ଡିତଙ୍କୁ ବାହାରକୁ ଆସିବା ଦେଇନଥିଲା ପୁଲିସ। ଶିବିରର ମୁଖ୍ୟ ଦ୍ୱାରକୁ ବନ୍ଦ କରି ଦିଅଯାଇଥିଲା। ଆଜି ସକାଳୁ ଟ୍ରାଞ୍ଜିଟ୍‌ କ୍ୟାମ୍ପ ନିକଟରେ ପୁଲିସ ପକ୍ଷରୁ ବ୍ୟାରିକେଡ୍‌ କରାଯାଇଛି। ଏଥିସହ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସେହି ରାସ୍ତା ଦେଇ ଯାଉଥିବା ସମସ୍ତ ଗାଡିଗୁଡିକର ଯାଞ୍ଚ ଚାଲିଛି।
ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ଏକ ହାଇସ୍କୁଲ ଭିତରେ ପଶି ଆତଙ୍କବାଦୀମାନେ କଶ୍ମୀର ପଣ୍ଡିତ ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାପୂର୍ବରୁ ଗତ ମାସରେ କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କୁ ମାଜିଷ୍ଟ୍ରେଟ୍‌ ଅଫିସ ଭିତରେ ପଶି ଗୁଳି କରି ହତ୍ୟା କରାଯାଇଥିଲା। ଏହାକୁ ନେଇ ଘାଟିରେ ଏକ ଭୟର ବାତାବରଣ ଦେଖାଦେଇଛି। ଆତଙ୍କବଦୀମାନେ ଲଗାତର କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ୍‌ କିଲିଂ କରୁଥିବା ଯୋଗୁ ସେମାନେ ସରକାରଙ୍କୁ ବିରୋଧ କରୁଛନ୍ତି। ସରକାର ଆମକୁ ଏଠି ମରିବାକୁ ଛାଡି ଦେଇଥିବା ନେଇ କଶ୍ମୀର ପଣ୍ଡିତମାନେ କହିଛନ୍ତି।

ad-week
Leave A Reply

Your email address will not be published.