
ଦୁବାଇ: ଆଇସିସି ଦିନିକିଆ ରାଙ୍କିଙ୍ଗରେ ଭାରତକୁ ବଡ଼ ଝଟକା ଲାଗିଛି। ଭାରତକୁ ଦିନିକିଆ ରାଙ୍କିଙ୍ଗରେ ପଛରେ ପକାଇ ଦେଇଛି ପାକିସ୍ତାନ। ଘରୋଇ ମାଟିରେ ପାକିସ୍ତାନ ପ୍ରତିପକ୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ କ୍ଲିନ ସୁଇପ କରିଛି। ଏହି ସିରିଜ୍ ବିଜୟ ପରେ ଦଳକୁ ରାଙ୍କିଙ୍ଗରେ ଫାଇଦା ମିଳିଛି।
ଏବେ ପାକିସ୍ତାନ ଆଇସିସିର ଦିନିକିଆ ରାଙ୍କିଙ୍ଗର ୪ର୍ଥ ସ୍ଥାନରେ ପହଞ୍ଚି ଯାଇଛି। ଫଳରେ ଭାରତକୁ ୫ମ ସ୍ଥାନକୁ ଖସିବାକୁ ପଡ଼ିଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ୧୦୨ ପଏଣ୍ଟ ସହ ରାଙ୍କିଙ୍ଗର ୫ମ ସ୍ଥାନରେ ରହିଥିଲା। ଏବେ ଦଳ ପାଖରେ ୧୦୬ ପଏଣ୍ଟ ଥିବା ବେଳେ ଭାରତର ପଏଣ୍ଟ ସଂଖ୍ୟା ୧୦୫ ରହିଛି।
ବିଗତ କିଛି ବର୍ଷ ହେଲାଣି ପାକିସ୍ତାନ ଦିନିକିଆ କ୍ରିକେଟରେ ଭଲ ପ୍ରଦର୍ଶନ କରି ଆସୁଛି। ୧୯୯୮ ପରେ ଅଷ୍ଟ୍ରେଲିଆ ଟିମ୍ ପାକିସ୍ତାନରେ ଖେଳିବାକୁ ଯାଇଥିଲା। ହେଲେ ଦଳକୁ ଦିନିକିଆ ସିରିଜ ହାରିବାକୁ ପଡ଼ିଥିଲା। ସେହିପରି ଜିମ୍ବାୱେ ଓ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ପାକିସ୍ତାନ ଘରୋଇ ମାଟିରେ ହରାଇଥିଲା। ଏବେ ୱେଷ୍ଟଇଣ୍ଡିଜ ମଧ୍ୟ ସମାନ ଦଶା ଭୋଗିଛି।
ଅନ୍ୟପକ୍ଷରେ ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡ ଥିବା ବେଳେ ୨ନଂରେ ଇଂଲଣ୍ଡ ଓ ୩ନଂରେ ଅଷ୍ଟ୍ରେଲିଆ ରହିଛି। ସେହିପରି ୬ନଂରେ ଦକ୍ଷିଣ ଆଫ୍ରିକା, ୭ନଂରେ ବାଂଲାଦେଶ, ୮ନଂରେ ଶ୍ରୀଲଙ୍କା, ୯ନଂରେ ୱେଷ୍ଟଇଣ୍ଡିଜ ଓ ୧୦ନଂରେ ଆଫଗାନିସ୍ତାନ ରହିଛି।