
ନୂଆଦିଲ୍ଲୀ: ବୁଧବାର ଦିନ ଦିଲ୍ଲୀରେ କଂଗ୍ରେସ କର୍ମୀମାନେ ପ୍ରତିବାଦ କରୁଥିବା ବେଳେ ଦିଲ୍ଲୀ ପୁଲିସ ପୋଷାକପତ୍ର ଚିରି ପକାଇବା ସହ ତାଙ୍କୁ ଜଣେ ଅପରାଧୀଙ୍କ ଭଳି ବସ୍ ଭିତରକୁ ଟାଣି ନେଇଥିଲେ ବୋଲି ତାମିଲ୍ନାଡୁ କରୁର୍ ଆସନର କଂଗ୍ରେସ ସାଂସଦ ଜ୍ୟୋତିମଣି ଏକ ଭିଡିଓରେ କହିଛନ୍ତି।
ଆଜି କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର ଟୁଇଟ୍ କରି ସେୟାର୍ କରିଥିବା ଉକ୍ତ ଭିଡିଓରେ ଜ୍ୟୋତିମଣି ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ପୁଲିସ ତାଙ୍କ ପ୍ରତି ନିର୍ମମ ଆଚରଣ ପ୍ରଦର୍ଶନ କରି ଆକ୍ରମଣ କରିଛି।
ଶଶୀ ଥରୁର ଲେଖିଛନ୍ତି, ଯେକୌଣସି ଗଣତନ୍ତ୍ରରେ ଏଭଳି ହେବା ବଡ଼ କ୍ଷୋଭର ବିଷୟ। ଜଣେ ପ୍ରତିବାଦକାରୀ ମହିଳାଙ୍କ ସହିତ ଏତାଦୃଶ ବ୍ୟବହାର ଭାରତୀୟ ସଂସ୍କାର ମାନ ଉଲ୍ଲଂଘନ କରୁଛି। ସେଥିରେ ପୁଣି ଜଣେ ଲୋକସଭା ସାଂସଦଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଭାରତୀୟ ସଂସ୍କାର ସ୍ତରକୁ ଆହୁରି ନିମ୍ନଗାମୀ କରୁଛି। ଦିଲ୍ଲୀ ପୁଲିସର ବ୍ୟବହାରକୁ ମୁଁ ନିନ୍ଦା କରିବା ସହିତ ଉତ୍ତରଦାୟୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି କରୁଛି। ଦୟାକରି ତଦନ୍ତ କରନ୍ତୁ ବାଚସ୍ପତି ଓମ୍ ବିର୍ଲା।
ଶଶୀ ଥରୁର ସେୟାର୍ କରିଥିବା ଉକ୍ତ ଭିଡିଓରେ ସାଂସଦ ଜ୍ୟୋତିମଣି କହିଛନ୍ତି, ଦିଲ୍ଲୀ ପୁଲିସ କର୍ମଚାରୀମାନେ ମୋ ପୋଷାକପତ୍ର ଚିରି ପକାଇବା ପରେ ଅନ୍ୟ ମହିଳା ପ୍ରତିବାଦକାରୀମାନଙ୍କ ସହିତ ଜଣେ ଅପରାଧୀଙ୍କ ଭଳି ମତେ ବସ୍ରେ ପୂରାଇ ଦେଇଥିଲେ।
ଏହାପରେ ଜ୍ୟୋତିମଣି ଠିଆ ହୋଇ ବୁଲି ପଡ଼ି ତାଙ୍କ ଚିରା କୁର୍ତ୍ତା ଦେଖାଉଛନ୍ତି। ତାଙ୍କର ଗୋଟିଏ ପାଦରେ ଜୋତା ଥିବା ଦୃଶ୍ୟ ମଧ୍ୟ ଭିଡିଓରେ ଦେଖାଯାଉଛନ୍ତି। ସେ କହିଛନ୍ତି, ଗତକାଲି ଦିଲ୍ଲୀ ପୁଲିସ ଆମକୁ ନିର୍ମମଭାବେ ମାଡ଼ ଦେଇଛନ୍ତି। ସେମାନେ ମୋ ପୋଷାକପତ୍ର ଚିରି ପକାଇବା ସହ ମୋ ଜୋତା ବାହାର କରି ମତେ ଜଣେ ଅପରାଧୀଙ୍କ ଭଳି ନେଇଯାଇଥିଲେ।
ସେ ଆହୁରି ମଧ୍ୟ କହିଛନ୍ତି, ବସ୍ରେ ମତେ ମିଶାଇ ୭/୮ଜଣ ମହିଳା ଥିଲେ। ଆମେ ବାରମ୍ବାର ପାଣି ମାଗୁଥିଲେ ବି ସେମାନେ ପାଣି ଦେବାକୁ ମନା କରି ଦେଇଥିଲେ। ମୁଁ ବାହାରୁ ପାଣି କିଣିବାକୁ ଉଦ୍ୟମ କରନ୍ତେ, ଆମକୁ ପାଣି ନ ଦେବା ଲାଗି ସେମାନେ ବିକ୍ରେତାମାନଙ୍କୁ କହିଥିଲେ।